ରାତି ୯ରୁ ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଦୋକାନ-ବଜାର

0
221

ସ୍କୁଲ ଓ କଲେଜ୍ ବନ୍ଦ, ଅନଲାଇନରେ ପଢ଼ିବେ ପିଲା

ଭୁବନେଶ୍ୱର : ରାଜ୍ୟରେ ଗତ ୫ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ ପ୍ରାୟ ୧୨୦୦କୁ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର କୋଭିଡ-୧୯ କଟକଣାକୁ ବ୍ୟାପକ କରିଛନ୍ତି। ଜାନୁୟାରୀ ୭ରୁ ଫେବୃୟାରୀ ୧ତାରିଖ ପର୍ଯ୍ୟନ୍ତ ଅବଧି ପାଇଁ ରାଜ୍ୟ ସରକାର ଆଜି ସଂଶୋଧିତ କଟକଣା ଜାରି କରିଛନ୍ତି । ଡିସେମ୍ବର ୨୯ ଓ ୩୧ତାରିଖରେ ଜାରି ହୋଇଥିବା କଟକଣା ସମେତ ଏହି ସଂଶୋଧିତ କଟକଣା ଲାଗୁ ହେବ । ସହରାଂଚଳରେ ନାଇଟ୍ କର୍ଫ୍ୟୁ ଅବଧିକୁ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବା ସହ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଏବେ ଚାଲିଥିବା ମ୍ୟାଟ୍ରିକ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ବିବାହ ଓ ବ୍ରତରେ ସର୍ବାଧିକ ୧୦୦ଜଣ, ଶୁଦ୍ଧିକ୍ରୟାରେ ସର୍ବାଧିକ ୫୦ଜଣ ସମେତ ଧାର୍ମିକ, ରାଜନୀତିକ ଓ ଏକାଡେମିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ଜଣ ଲୋକଙ୍କୁ ଅନୁମତି ମିଳିବ । ତେବେ ଯାତ୍ରା ବା ଅପେରା ନିମନ୍ତେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି ମିଳିବ । ପିକନିକ୍ , ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ବାରଣ ହୋଇଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ, ବାର ଓ ପବଗୁଡ଼ିକ ସର୍ବାଧିକ ରାତି ୯ଟା ପର୍ଯ୍ୟନ୍ତ ଖୋଲିବ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଗତ ୫ଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୨୦୦ରୁ ଅଧିକ ଛୁଇଁଲାଣି । ତେବେ ଜୀବିକା ଓ ଜୀବନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଜୀବିକାକୁ ପ୍ରଭାବିତ ନକରି ଜୀବନକୁ ସୁରକ୍ଷିତ ରଖିବା ନିମନ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ବାରମ୍ବାର ହାତ ଧୋଇବା ଭଳି ୩ଟି ନିୟମକୁ ପାଳନ ସହ ସରକାରଙ୍କ ଗାଇଡଲାଇନକୁ ମାନିବାକୁ ସେ ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆରେ ଗୁଜବ ଉପରେ ବିଶ୍ୱାସ ନକରି କେବଳ ସରକାରୀ ପରାମର୍ଶକୁ ପାଳନ କରିବାକୁ ସେ କହିଛନ୍ତି। ସହରାଂଚଳରେ ନାଇଟ୍ କର୍ଫ୍ୟୁ ଅବଧିକୁ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବା ସହ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗାଡ଼ି ଚଳାଚଳ ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସେବା ଓ ଉପଯୁକ୍ତ ପ୍ରମାଣ ଦେଖାଇ ଗାଡ଼ି ଚଳାଚଳ କରିପାରିବେ।

ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ସର୍ବନିମ୍ନ କର୍ମଚାରୀ ଅବା ୱାର୍କ ଫ୍ରମ ହୋମ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବେ। ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ତେବେ ରାଜନୀତିକ, ର‌୍ୟାଲି, ଶୈକ୍ଷିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ସର୍ବାଧିକ ୧୦୦ଜଣଙ୍କୁ ଅନୁମତି ମିଳିବ। କୌଣସି ହଲ୍ ଭିତରେ କାର୍ଯ୍ୟକ୍ରମ କରୁଥିଲେ କୋଭିଡ୍ ନିୟମ ପାଳନ କରି ଉକ୍ତ ହଲର କ୍ଷମତାର ସର୍ବାଧିକ ୫୦ପ୍ରତିଶତ ଓ ଅତିବେଶୀରେ ୧୦୦ଜଣଙ୍କୁ ନେଇ କାର୍ଯ୍ୟକ୍ରମ କରିପାରିବେ। ସମସ୍ତ ପ୍ରକାରର ପ୍ରଦର୍ଶନୀ, ମେଳା ଓ ଏକ୍ସପୋ ଉପରେ କଟକଣା ଜାରି ହୋଇଛି । ପିକନିକ୍ , ଶିକ୍ଷାନୁଷ୍ଠାନ ଦ୍ୱାରା ପିକନିକ୍ ବା ଏକ୍ସର୍କସନ ପାଇଁ ବାରଣ ରହିଛି। ତେବେ ଧାର୍ମିକ ଅନୁଷ୍ଠାନ ଯଥା ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍ ଆଦିରେ ପୂଜକଙ୍କ ସମେତ ହାତଗଣତି କର୍ମଚାରୀଙ୍କୁ ନେଇ ରୀତିନୀତି ସମ୍ପନ୍ନ କରାଯିବ।

Also Read  ମୋହାଲୀରୁ ଗିରଫ ହେଲା ପଞ୍ଜାବ ପଟିଆଲା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ

ମାଛ ହାଟ ସମେତ ପରିବା ହାଟ ଓ ବଜାରରେ ସର୍ବାଧିକ ୩୦ଫୁଟ ଦୂରତ୍ୱ ରହିବ। ଦୋକାନୀ ଓ ଗ୍ରାହକମାନେ ନିଶ୍ଚିତ ଭାବେ କୋଭିଡ୍ ଗାଇଡଲାଇନ ପାଳନ କରିବେ। ହୋଟେଲ, ବାର ଓ ରେଷ୍ଟୁରାଣ୍ଟଗୁଡ଼ିକରେ ରାତି ୯ଟା ପର୍ଯ୍ୟନ୍ତ ଖୋଲିବ। ମାତ୍ର ୫୦ ପ୍ରତିଶତ କ୍ଷମତା ସହ ଏସବୁ କାର୍ଯ୍ୟ କରିବ। ରାସ୍ତାକଡ଼ ଉଠାଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ୱ ଓ ଭିଡ଼ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ହାଟ,ବଜାର, ସିନେମା ହଲ, ସୁଇମିଂ ପୁଲ, ପ୍ରେକ୍ଷାଳୟ, ଅଡିଟୋରିୟମ ଆଦି ରାତି ୯ଟା ସୁଦ୍ଧା ବନ୍ଦ ହେବ। ସିନେମା ହଲଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ ଚାଲିପାରିବ।

୧୦୦ବର୍ଗଫୁଟର ଦୋକାନ ମଧ୍ୟରେ ଏକ ସମୟରେ ମାତ୍ର ୪ଜଣ ଗ୍ରାହକଙ୍କୁ କିଣାବିକା ପାଇଁ ଅନୁମତି ମିଳିବ। ଡବଲ ଡୋଜ୍ ନେଇଥିବା ବ୍ୟକ୍ତିମାନେ ହିଁ ମାର୍କେଟ କମ୍ପେ୍ଲକ୍ସ, ମଲ ଓ ଦୋକାନକୁ ଯିବାକୁ ଅନୁମତି ପାଇବେ। ଯଦି ଏସବୁ ସ୍ଥାନରେ ଲୋକଙ୍କ ଭିଡ଼ ଜମେ, ତା’ହେଲେ ସମ୍ପୃକ୍ତ ଦୋକାନ, ବଜାର, ହୋଟେଲ, ରେଷ୍ଟୁରାଣ୍ଟ ଓ ସପିଂ ମଲକୁ ଅତିକମରେ ୭ଦିନ ପାଇଁ ବନ୍ଦ କରିଦିଆଯିବ। ଗ୍ରାହକଙ୍କ ଭିଡ଼ ପାଇଁ ଦୋକାନୀମାନେ ଦାୟୀ ରହିବେ। ଦଣ୍ଡନୀୟ ଅପରାଧ ଓ ଜୋରିମାନା ଉଭୟ ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here