ବଲାଙ୍ଗିର: ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । କୋଭିଡରେ ଆକ୍ରାନ୍ତ ବଲାଙ୍ଗିରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ବୋଲି ଜଣାପଡ଼ିଛି । ୩ ଦିନ ତଳେ ହୃଦଘାତ ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଥିଲା ।
ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠା ଯାଇଥିଲା । ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କର ଜିନୋମ୍ ସିକ୍ୱେନ୍ସିଂ ରିପୋର୍ଟ ଓମିକ୍ରନ୍ ସଂକ୍ରମିତ ଆସିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ସିଡିଏମଓ ଡକ୍ଟର ସ୍ନେହାଙ୍ଗିନୀ ସାହୁ । ମୃତ୍ୟୁବରଣ କରିଥିବା ୫୫ ବର୍ଷିୟା ମହିଳା ଜଣଙ୍କର କୌଣସି ବିଦେଶ ଗସ୍ତ ବିବରଣୀ ନାହିଁ । ରିପୋର୍ଟ ଅନୁସାରେ, ରାଜ୍ୟରେ ଏଯାବତ୍ ୬୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୦ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।