ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକ ସ୍ତରରେ ଜାରି ହେଲା ବିଜ୍ଞପ୍ତି

0
650

ଭୁବନେଶ୍ୱର: ବାଜିଲା ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍‌ । ବ୍ଲକ ସ୍ତରରେ ବିଜ୍ଞପ୍ତି ଜାରିକଲେ ନିର୍ବାଚନ ଅଧିକାରୀ । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଏବଂ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ବାହାରିଛି । ଜାନୁଆରୀ ୧୭ରୁ ୨୧ ଯାଏଁ ଚାଲିବ ନାମାଙ୍କନ । ଏଥର ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ,  ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ଓ୍ବେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ । ଏହାସହ ଏଥର ବୁଥ୍ ଗଣତି ବଦଳରେ ବ୍ଲକସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍ ଗଣତି କରାଯିବ ।

ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ବୁଧବାର ଦିନ ନିର୍ବାଚନ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଚଳିତ ମାସରେ ସର୍ବାଧିକ ୧୦୦ ଲୋକଙ୍କୁ ନେଇ ରାଜନୈତିକ ସଭା, ଶୋଭାଯାତ୍ରା ପାଇଁ ପୂର୍ବରୁ ଅନୁମତି ଥିଲା ବେଳେ ବୁଧବାର ତାହାକୁ ଉଠାଇ ଦିଆଯାଇଛି। ‌ନିର୍ବାଚନୀ ସଭା, ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପ୍ରାର୍ଥୀମାନେ ସର୍ବାଧିକ ୫ ଜଣ ସମର୍ଥକଙ୍କୁ(ପ୍ରାର୍ଥୀଙ୍କୁ ମିଶାଇ ୫) ନେଇ ଘରକୁ ଘରକୁ ବୁଲି ପ୍ରଚାର କରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ମାସ୍କ ପିନ୍ଧି ପ୍ରଚାର କରିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପ୍ରାର୍ଥୀମାନେ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର କରିବାକୁ ପ୍ରାଥମିକତା ଦିଅନ୍ତୁ। ଅଧିକ ଲୋକ ଏକାଠି ହୋଇ ପ୍ରଚାର କରିପାରିବେନାହିଁ। କୋଭିଡ୍‌ ସଂକ୍ରମିତ ହୋଇଥିବା ପ୍ରାର୍ଥୀମାନେ କେବଳ ଇଲୋକ୍ଟ୍ରୋନିକ୍ସ ମିଡିଆରେ ପ୍ରଚାର କରିବେ। ସେମାନେ ବାହାରକୁ ପ୍ରଚାର ପାଇଁ ଯାଇପାରିବେ ନାହିଁ। ରାଜନୈତିକ ଦଳଗୁଡ଼ିକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ପ୍ରଚାର କରିବାକୁ ପଦକ୍ଷେପ ନିଅନ୍ତୁ। କୌଣସି ପ୍ରକାର ‌ରୋଡ୍ ସୋ’, ପଦଯାତ୍ରା, ସାଇକେଲ୍/ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରା ହୋଇପାରିବ ନାହିଁ। ଭୋଟ୍‌ ଗଣତି ପରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଶୋଭଯାତ୍ରା ମଧ୍ୟ ହୋଇପାରିବ ନାହିଁ। ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ୱାର୍ଡରେ ଯେଉଁ କ୍ୟାମ୍ପ୍‌ ଅଫିସ୍‌ କରିବେ, ସେଠାରେ ମାସ୍କ, ସାନିଟାଇଜର୍‌ ଆଦି ମହଜୁଦ୍ ରଖିବେ। ଭୋଟ୍‌ ଗଣତି କେନ୍ଦ୍ର ବାହାରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ।

Also Read  Modi attacks Odisha's BJD government on corruption