ଯାତ୍ରୀ ମାସ୍କ୍‌ ପିନ୍ଧିବାକୁ ମନା କରିବାରୁ ଅଧବାଟରୁ ଫେରିଗଲା ବିମାନ

0
396

ୱାସିଂଟନ୍: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ୍‌ ପିନ୍ଧିବାକୁ ମନା କରି ଦେବାରୁ ଗୁରୁବାର ଦିନ ମିଆମିରୁ ଲଣ୍ଡନ୍‌ ଅଭିମୁଖେ ଯାଉଥିବା ଆମେରିକୀୟ ଏୟାର୍‌ଲାଇନ୍‌ର ଗୋଟାଏ ଯାତ୍ରୀବାହୀ ଜେଟ୍‌ ବିମାନ ଆକାଶରେ ଉଡୁଥିବା ବେଳେ ଅଧବାଟରୁ ଫେରିଯାଇଛି।

ଏୟାର୍‌ଲାଇନ୍‌ ଜାରି କରିଥିବା ବିବୃତି ଅନୁସାରେ, ଜଣେ ଅବାଧ୍ୟ ଯାତ୍ରୀ ‘ଫେଡେରାଲ୍‌ ମାସ୍କ୍‌ ରିକ୍ବାର୍‌ମେଣ୍ଟ୍‌’ ନିୟମ ମାନିବାକୁ ଅଗ୍ରାହ୍ୟ କରିବାରୁ ମିଆମିରୁ ଲଣ୍ଡନ୍‌ ଯାତାୟାତ କରୁଥିବା ଆମେରିକାନ୍‌ ଏୟାର୍‌ଲାଇନ୍‌ସ୍‌ ବିମାନ ୩୮ମିଆମିକୁ ଫେରିଯାଇଛି। ୧୨୯ଜଣ ଯାତ୍ରୀ ଓ ୧୪ଜଣ ପରିଚାରକଙ୍କୁ ନେଇ ଯାଉଥିବା ଉକ୍ତ ବୋଇଙ୍ଗ୍‌ ୭୭୭ ବିମାନଟି ପୁନର୍ବାର ମିଆମିରେ ଅବରତଣ କରିବା ବେଳକୁ ପୁଲିସ ପହଞ୍ଚି ଯାଇ ଅପେକ୍ଷା କରିଥିଲା। ବିମାନଟି ଅବତରଣ କରିବାକ୍ଷଣି କୌଣସି ଝାମେଲା ନ କରି ପୁଲିସ ସେ ଅବାଧ୍ୟ ଯାତ୍ରୀଜଣକୁ ଧରି ନେଇଯାଇଥିଲା।

ତଦନ୍ତ ଆହୁରି ବାକି ଥିବାରୁ ସେ ଯାତ୍ରୀଜଣଙ୍କୁ ଉକ୍ତ ଏୟାର୍‌ଲାଇନ୍‌ର ବିମାନରେ ଯାତ୍ରା କରିବାକୁ ନିଷେଧ କରାଯାଇଥିବା ଯାତ୍ରୀମାନଙ୍କ ତାଲିକାଭୁକ୍ତ କରାଯାଇଛି।ଯୁକ୍ତରାଷ୍ଟ୍ର ଆମେରିକାର ଘରୋଇ ବିମାନରେ ମାସ୍କ୍‌-ପରିଧାନ ବାଧ୍ୟତାମୂଳକ କରିଥିବା ‘ଫେଡେରାଲ୍‌ ନିୟମ’ ଉଲ୍ଲଂଘନକାରୀ ବ୍ୟକ୍ତିମାନଙ୍କ ପ୍ରତି ଶାସ୍ତି ବିଧାନ କରାଯିବ ବୋଲି ୨୦୨୧ ଜାନୁଆରିରେ ‘ଦି ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିଥିଲା। ମାସ୍କ୍‌ ପିନ୍ଧିବାକୁ ମନା କରୁଥିବା ଯାତ୍ରୀମାନଙ୍କ ସହ ବିମାନ ପରିଚାରକମାନଙ୍କର ବାକ୍‌ବିତଣ୍ଡା ଏବଂ ଧସ୍ତାଧସ୍ତି ହେବାରୁ ଉପରୋକ୍ତ ନିୟମ ପ୍ରଣୟନ କରାଯାଇଥିଲା।

Also Read  ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ : ପୁଲିସ ହାତରେ କି ତଥ୍ୟ ଲାଗିଛି ପଢ଼ନ୍ତୁ ?