କାନପୁର: ଏକ ବିଦ୍ୟୁତ୍ ଚାଳିତ ବସ୍ ଚଢ଼ି ଯିବାରୁ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର କାନପୁରରେ ଏହି ଘଟଣା ଘଟିଛି। ଟାଟା ମିଲ୍ କ୍ରସ୍ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।
ବସ୍ଟି ଦ୍ରୁତ୍ ଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତା’ସହିତ ବସ୍ଟି ଏକାଧିକ କାର୍ ଓ ବାଇକ୍କୁ ଧକ୍କା ଦେଇଥିଲା। ବସ୍ ଧକ୍କାରେ ତିନିଟି କାର ଓ ଅନେକ ବାଇକ୍ ନଷ୍ଟ ହୋଇଛି। ବସ୍ଟି ଏକ ଟ୍ରକ୍କୁ ଧକ୍କା ଦେବା ପରେ ଅଟକିଥିଲା।
ଟାଟା ମିଲ୍ କ୍ରସ୍ରୋଡ୍ ନିକଟରେ ବସ୍ର ବ୍ରେକ୍ କାମ ନ କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି। ତାକୁ ଧରିବାକୁ ଚଢ଼ାଉ ଜାରି ରହିଛି ବୋଲି କହିଛନ୍ତି ପୂର୍ବ କାନପୁରର ଡେପୁଟି ପୁଲିସ୍ କମିଶନର ପ୍ରମୋଦ କୁମାର।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି।

























