ଭୁବନେଶ୍ୱର: ସ୍ଥାନୀୟ ଲକ୍ଷ୍ମୀସାଗରର ଯୁବକ ଈଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ନୂଆ ମୋଡ଼ ନେଇଛି। ବନ୍ଧୁକୁ ବନ୍ଧୁ ଧୋକା ଦେଇଛି। ଗିରଫ ଅଭିଯୁକ୍ତମାନଙ୍କ ମୁହଁ ଦେଖିବା ପରେ ଈଷାନ ଚିହ୍ନି ପାରିଥିଲେ ନିଜର ସ୍କୁଲ ସାଙ୍ଗ ଧନେଶ୍ୱର ପାତ୍ରକୁ। ଆଜି ସିନ୍ ରିକ୍ରିଏସନ କରିଛି ପୁଲିସ । ଈଷାନଙ୍କୁ କେଉଁ ଚାହା ଦୋକାନ ପାଖରୁ ଅପହରଣ କରିଥିଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଚାରି ଅଭିଯୁକ୍ତ । ସ୍ପେଶାଲ ସ୍କ୍ୱାର୍ଡ ଆଉ ଲକ୍ଷ୍ମୀସାଗର ପୁଲିସ ଆଜି ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି ।
ବନ୍ଧୁ ଧନେଶ୍ୱର ପାତ୍ର ଘଟଣା ଦିନ ଈଷାନଙ୍କୁ ଚା’ ପିଇବାକୁ ଡାକିଥିଲା ଲକ୍ଷ୍ମୀସାଗରରେ ଥିବା ଚା’ ଦୋକାନ ପାଖକୁ ଡାକିବା ପୂର୍ବରୁ ଅପହରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଈଷାନ ଆସିବା ପରେ ପୂର୍ବରୁ ପ୍ରସ୍ତୁତ ଦୁର୍ବତ୍ତମାନେ ଗାଡି ଧରି ଥିଲେ। ଈଷାନ ଆସିବା ପରେ ଗାଡି ପାଖରେ ଲଗାଇ ଅପହରଣ କରିନେଇଥିଲେ । ଈଷାନଙ୍କ ବାପା ପୁଲିସ ପାଖରେ ଅଭିଯୋଗ କରିବା ପରେ ସ୍ପେଶାଲ ସ୍କ୍ୱାର୍ଡର ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେସନ।
ତେବେ ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ପୁଲିସ ଈଷାନଙ୍କୁ ନୟାଗଡ଼ ସୁନାଖଳାରୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଛି । ଅଭିଯୁକ୍ତମାନେ ଅପହରଣ ପରେ ୩ଟି ଟିମ୍ ବନାଇଥିଲେ । ଧରାପଡ଼ିବା ଭୟରେ ପ୍ରତି ଟିମ୍ ଅନ୍ୟ ଟିମ୍ ଠାରୁ ୨୦ରୁ ୩୦ କିମି ଦୂରରେ ରହୁଥିଲେ । ଟ୍ରାପିଂ ଭୟରେ ଜଣେ ଅନ୍ୟ ଜଣକୁ ଫୋନ୍ କରି ଟଙ୍କା ମାଗୁଥିଲେ। ମୋବାଇଲ୍ ଟ୍ରାକିଂ କରି ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ରେ ଚଢ଼ଉ କରାଯାଇଥିଲା । ଈଷାନଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ମାଗିଥିଲେ ଅପହରଣକାରୀ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବା ପରେ ରିମାଣ୍ଡ ଆଣିବ ପୁଲିସ।

























