ୟୁକ୍ରେନରେ ବୋମାମାଡ଼ : ଭାରତୀୟ ଛାତ୍ର ମୃତ

0
338

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ବେଳେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି ।  ରୁଷିଆ ସୈନ୍ୟଙ୍କ ବୋମା ମାଡ଼ରେ କର୍ଣ୍ଣାଟକର ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ମୃତ ଛାତ୍ରର ନାଁ ନବୀନ ବୋଲି ଜଣାପଡ଼ିଛି । ଏନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମନ୍ତ୍ରଣାଳୟ କହିଛି, ଆମେ ବେଶ ଦୁଃଖର ସହ କହିବାକୁ ଚାହୁଁଛୁ ଯେ ଆଜି ସକାଳେ ଖାରକିଭରେ ହୋଇଥିବା ଶେଲିଂରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଲୋକଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଆମେ ଛାତ୍ରଙ୍କ ପରିବାର ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ। ବୈଦେଶିକ ସଚିବ ରୁଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ଡକାଇ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି। ଖାରକିଭ ଓ ଯୁଦ୍ଧ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ତୁରନ୍ତ ପଦକ୍ଷେପ ନିଆଯାଉଛି। ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ରୁଷ ଓ ୟୁକ୍ରେନରେ ଅବସ୍ଥାପିତ ଆମ ରାଷ୍ଟ୍ରଦୂତମାନେ ମଧ୍ୟ ପଦକ୍ଷେପ ନେଉଥିବା ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରାଯାଇଛି।

ସୂଚନାଯୋଗ୍ୟ ଯେ, ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡ ଓ ରୁମାନିଆ ଦେଇ ଭାରତ ସରକାର ଉଦ୍ଧାର କରୁଛନ୍ତି । ଏଥିପାଇଁ ଭାରତ ସରକାର ୪ ଜଣ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ପୁରୀ, କିରେନ ରିଜିଜୁ ଓ ଜେନେରାଲ ଭିକେ ସିଂଙ୍କୁ ୟୁକ୍ରେନର କେତେକ ପଡ଼ୋଶୀ ଦେଶ ହଙ୍ଗେରୀ, ସ୍କୋଭାକିଆ, ମାଲଡୋଭା, ରୋମାନିଆ ଓ ପୋଲାଣ୍ଡକୁ ପଠାଇଛନ୍ତି ।

Also Read  ୱାଙ୍ଖଡ଼େଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲା ଏନ୍‌ସିବି