ମେୟର ପ୍ରାର୍ଥୀ: ରେସରେ ଅଚ୍ୟୁତଙ୍କ ଭଉଣୀ ଓ ସୌମ୍ୟଙ୍କ ଝିଅ

0
436
ଅଚ୍ୟୁତଙ୍କ ଭଉଣୀ ଇତି ସାମନ୍ତ
ଅଚ୍ୟୁତଙ୍କ ଭଉଣୀ ଇତି ସାମନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ନିଜର ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇନଥିବାବେଳେ ଆଜି ସୁଦ୍ଧା କର୍ପୋରେଟ୍ ପଦବୀ ପାଇଁ ମୋଟ ୩୭୧ଜଣ ଓ ମେୟର ପଦବୀ ପାଇଁ ମୋଟ ୮ଜଣ ମନୋୟନ ଫର୍ମ ନେଇଛନ୍ତି। ଶାସକ ବିଜେଡି ନିଜର ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିନଥିବାବେଳେ ଦଳର ଦୁଇ ଜଣ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ନିଜର ସମ୍ପର୍କୀୟଙ୍କୁ ସମ୍ଭାବ୍ୟ ମେୟର ପ୍ରାର୍ଥୀ ଦୌଡ଼ରେ ଆଗରେ ରଖିଥିବା ସୂଚନା ମିଳିଛି। ସୌମ୍ୟ ନିଜର ଝିଅ ତାନ୍ୟା ପଟ୍ଟନାୟକଙ୍କୁ ଓ ଅଚ୍ୟୁତ ନିଜର ଭଉଣୀ ଇତି ସାମନ୍ତଙ୍କ ପାଇଁ ମେୟର ଟିକେଟ୍ ନିମନ୍ତେ ଲବି କରୁଥିବା ଜଣାପଡ଼ିଛି।

ସୌମ୍ୟଙ୍କ  ଝିଅ ତାନ୍ୟା ପଟ୍ଟନାୟକ
ସୌମ୍ୟଙ୍କ ଝିଅ ତାନ୍ୟା ପଟ୍ଟନାୟକ

ଅନ୍ୟପକ୍ଷରେ, ସମ୍ମାନଜନକ ଭୁବନେଶ୍ୱରର ମେୟର ପଦବୀ ନିମନ୍ତେ ୩ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରୁନଥିବାବେଳେ ଶାସକ ବିଜେଡିରେ ଯେଉଁ ସମ୍ଭାବ୍ୟ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଇତି ସାମନ୍ତଙ୍କ ନାଁ ଆଗରେ ରହିଥିବା ବେଳେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଝିଅ ତାନ୍ୟା ପଟ୍ଟନାୟକଙ୍କ ନାଁ ମଧ୍ୟ ଏହି ରେସରେ ସାମିଲ ହୋଇଥିବା ଜଣାପଡ଼ିଛି ।

ବିଜେଡିର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ନିଜର ଭଉଣୀ ଇତିଙ୍କୁ ମେୟର ପ୍ରାର୍ଥୀ କରିବା ପାଇଁ କର୍ପୋରେଟର ଆଶାୟୀଙ୍କୁ ଡାକି ମନ୍ତ୍ରଣା କରୁଥିବାବେଳେ ସୌମ୍ୟ ମଧ୍ୟ ନିଜ ଝିଅ ତାନ୍ୟାଙ୍କ ନିମନ୍ତେ ଅଣ୍ଟା ଭିଡ଼ି ଥିବା ଚର୍ଚ୍ଚା ହେଉଛି । ତେବେ ବିଜେଡି ସୁପ୍ରିମୋ ଏପର୍ଯ୍ୟନ୍ତ କୌଣସି ନାଁ ଦଳୀୟ ମେୟର ପ୍ରାର୍ଥୀ ପାଇଁ ଚୂଡ଼ାନ୍ତ କରିନଥିବାବେଳେ ଆସନ୍ତାକାଲି ଭୁବନେଶ୍ୱରର ୬୭ଟି ୱାର୍ଡର କର୍ପୋରେଟରଙ୍କ ତାଲିକା ବିଜେଡି ପକ୍ଷରୁ ଜାରି ହେବ ବୋଲି ଜଣାପଡ଼ିଛି । ଏପଟେ ବିଜେଡିର ମେୟର ପ୍ରାର୍ଥୀ କିଏ ହେବ ତାକୁ ଦୃଷ୍ଟିରେ ରଖି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ଥିବା ବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ରଶ୍ମୀ ମହାପାତ୍ରଙ୍କୁ ଆଗକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିନରେ ମୋଟ ୧୭୭ଜଣ କର୍ପୋରେଟ ପଦବୀ ପାଇଁ ମନୋୟନ ଫର୍ମ ନେଇଥିବାବେଳେ ମେୟର ପଦ ପାଇଁ ୩ ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଛନ୍ତି । ଗତକାଲି କର୍ପୋରେଟ ପଦବୀ ପାଇଁ ୧୯୪ଜଣ ଓ ମେୟର ପଦବୀ ପାଇଁ ୫ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିଲେ । ଆଜି କର୍ପୋରେଟର ପଦବୀ ପାଇଁ ବିଜେପିରୁ ୩ଜଣ ପ୍ରାର୍ଥୀ ଓ ସିପିଆଇରୁ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

Also Read  Odisha reports 44 deaths due to Covid; 6097 fresh Covid Positive cases registered