‘ଦ କଶ୍ମୀର ଫାଇଲ୍‌ସ’କୁ ନେଇ ରାଜନୀତି

0
514

ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ଦ୍ବାରା ନିର୍ମିତ ‘ଦ କଶ୍ମୀର ଫାଇଲ୍‌ସ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ୧୯୯୦ ଦଶକରେ କଶ୍ମୀରରେ କଶ୍ମୀରୀ ପଣ୍ଡିତଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଅତ୍ୟାଚ୍ୟାର ଏବଂ ରାଜ୍ୟରୁ ପଣ୍ଡିତମାନଙ୍କର ପଳାୟନ ଉପରେ ଆଧାରିତ ଏହି ଫିଲ୍ମରେ ଅନୁପମ ଖେର, ମିଥୁନ ଚକ୍ରବର୍ତିଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯେଭଳି ପ୍ରମୋଟ୍ କରୁଛନ୍ତି ତାହା ହିଁ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ରକୁ ବିଜେପି ଶାସିତ ରାଜ୍ୟମାନଙ୍କରେ ଟିକସଛାଡ଼ ମଧ୍ୟ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଜେପି ସଂସଦୀୟ ଦଳ ବୈଠକରେ ଏହି ସିନେମା ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ ଯେ କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାର କାହାଣିକୁ ଚାପି ଦିଆଯାଇଥିଲା। ଏହି ସିନେମା ତାହାକୁ ପଦାକୁ ଆଣିଛି। ନିଜର ମୁଖା ଖୋଲିଯିବା ଭୟରେ ବିରୋଧୀମାନେ ବିରୋଧ କରୁଥିବାରୁ ସେ ସେମାନଙ୍କର ସମାଲୋଚନା କରିଥିଲେ। କେବଳ ଏତିକି ନୁହେଁ, ସମସ୍ତେ ଏହି ସିନେମା ଦେଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଏହି ସିନେମାର ସମାଲୋଚକମାନେ ଯୁକ୍ତି କରୁଛନ୍ତି ଯେ ଫିଲ୍ମ ପ୍ରକୃତ ତଥ୍ୟ ଉପରେ ଆଧାରିତ ନୁହେଁ। ଏଥିରେ ଅନେକ ତଥ୍ୟକୁ ଅତିରଞ୍ଜିତ କରାଯାଇଛି। ନିର୍ଦିଷ୍ଟ ଏଜେଣ୍ଡା ନେଇ ଏହି ସିନେମାର ନିର୍ମାଣ କରାଯାଇଛି।

ଏହାଦ୍ବାରା ଦେଶରେ କେବଳ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଫିଲ୍ମ ନିର୍ମାତା କହୁଛନ୍ତି‌ ଯେ ୯୦ ଦଶକରେ କଶ୍ମୀରରେ ହିଂସା ଉପରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଖବର, ରାଜ୍ୟ ସରକାରଙ୍କ କିଛି ଦସ୍ତାବିଜ ଏବଂ କ୍ଷତିଗ୍ରସ୍ତ ପରିବାରଙ୍କର ସାକ୍ଷାତକାରକୁ ଆଧାର କରି ସିନେମା ତିଆରି କରାଯାଇଛି। ଏହି ହିଂସାରେ କେବଳ ହିନ୍ଦୁ ନୁହନ୍ତି, କଶ୍ମୀରୀ ମୁସଲିମମାନେ ମଧ୍ୟ ଶିକାର ହୋଇଛନ୍ତି ଏବଂ ଘରଦ୍ବାର ଛାଡ଼ି ପଳାଇଛନ୍ତି। ଉକ୍ତ ସିନେମାରେ ଜେଏନୟୁ ବା ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟକୁ ଦେଶ ବିରୋଧୀ ଭାବେ ଚିତ୍ରଣ କରାଯାଇଛି। ୯୦ ଦଶକର ହିଂସା ପାଇଁ ତତ୍କଳୀନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ସ୍ବରାଷ୍ଟ୍ର ମନ୍ତ୍ରୀ ମୁଫତି ମହମ୍ମଦ ସୟୀଦ ଏବଂ ରାଜୀବ ଗାନ୍ଧୀଙ୍କୁ ଦୋଷୀ କରାଯାଇଛି।

କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ଭିପି ସିଂହ କିମ୍ବା ତାଙ୍କୁ ସମର୍ଥନ କରୁଥିବା ବିଜେପି ସଂପର୍କରେ କିଛି କୁହାଯାଇ ନାହିଁ ବୋଲି ସମାଲୋଚକମାନେ କହୁଛନ୍ତି। ଏସଂପର୍କରେ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱ‌ାଲା କହିଛନ୍ତି ଯେ କଶ୍ମୀର ହିଂସା ବେଳେ ଭିପି ସିଂହ ପ୍ରଧାନମନ୍ତ୍ରୀ ଥିଲେ ଏବଂ ତାଙ୍କୁ ବିଜେପି ସମର୍ଥନ ଯୋଗାଉଥିଲା। ହିଂସା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ହଟାଯାଇ କେନ୍ଦ୍ର ନିଜର ରାଜ୍ୟପାଳଙ୍କ ଦ୍ବାରା ଶାସନ ଚଳାଉଥିଲା। ଯେଉଁ ୮୫ ବିଜେପି ସାଂସଦଙ୍କ ସମର୍ଥନରେ ଭିପି ସରକାର ତିଷ୍ଠିଥିଲା, ସେହି ସାଂସଦ କଣ କରୁଥିଲେ? ସରକାର ଆଉ କେତେ ଦିନ ଏଭଳି ଘୃଣା ଏବଂ ମିଛ ରାଜନୀତି କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

Also Read  ପଞ୍ଚାୟତ ନିର୍ବାଚନୀ ହିଂସା : ବିଜେଡି-ବିଜେପି-କଂଗ୍ରେସ ଦୋଶ ଲଦାଲଦି

ଇତିମଧ୍ୟରେ ଏହି ସିନେମାର ପ୍ରମୋସନ ପାଇଁ କପିଲ ଶର୍ମା ମନା କରିଦେଇଥିବା ଅଭିଯୋଗ ଆସିବା ପରେ ତାଙ୍କୁ ‌ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଉଛି। ଫିଲ୍କ ନିର୍ମାତା ଅଗ୍ନିହୋତ୍ରି ଅଭିଯୋଗ କରିଥିଲେ ଯେ ତାଙ୍କ ସିନେମାରେ ନାମିଦାମୀ କଳାକାର ନଥିବାରୁ କପିଲ ଏହାର ପ୍ରମୋସନ କରିବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ କପିଲ ଏହାର ଖଣ୍ଡନ କରି କହିଛନ୍ତି ‌ଯ ଅନୁପମଙ୍କୁ ସେ ଡାକିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। କପିଲଙ୍କୁ ସମର୍ଥନ କରି ଅନୁପମ୍ କହିଛନ୍ତି ଯେ ଉକ୍ତ ସିନେମା ଗମ୍ଭୀର ଘଟଣା ଉପରେ ଆଧାରିତ ଥିବାରୁ କମେଡି ସୋ ଜରିଆରେ ଏହାର ପ୍ରଚାର କରାଯିବା ଠିକ୍ବ ହେବ ନାହିଁ। ତେଣୁ ସେ ଏହି ସୋକୁ ଯିବା ଲାଗି ମନା କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here