ଏହି ସବୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ

0
620
wearing of masks has not stopped in state

ନୂଆଦିଲ୍ଲୀ: ୟୁରୋପ, ଚୀନ୍ ଓ ଅନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଭୟ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଦୁଇ ରାଜ୍ୟର ସରକାର । କିନ୍ତୁ ଉଭୟ ରାଜ୍ୟ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଛନ୍ତି।

ମିଳିଥିବା ସୂଚନା ଅନୁୟାୟୀ, ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ଜୋରିମାନା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ)। ଡିଡିଏମଏ ପକ୍ଷରୁ କୁହାଯାଇଛି ଯେ ଜୋରିମାନା ନ ନେବା ଅର୍ଥ ନୁହେଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରିବା। କରୋନା ଗାଇଡଲାଇନକୁ ପାଳନ କରିବା ଆବଶ୍ୟକ। ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ଆଉ ଜୋରିମାନା ଦେବାକୁ ପଡ଼ିବ ନାହିଁ ବୋଲି ଡିଡିଏମଏ ନିଷ୍ପତ୍ତି ନେଇଛନ୍ତି। ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଡିଡିଏମଏ ଆଡଭାଇଜରି ଜାରି କରିପାରନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ କିଛି ଦିନ ଧରି ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସେହିପରି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ଏହା ସ୍ୱେଚ୍ଛାକୃତ ହେବ। ମାସ୍କ ନ ପିନ୍ଧିଲେ ଜୋରିମାନା ଦେବାକୁ ପଡ଼ିବ ନାହିଁ। କିନ୍ତୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛି।

ମହାରାଷ୍ଟ୍ରରେ ଆସନ୍ତାକାଲିଠୁ ଏପ୍ରିଲ ୨ରୁ ବାଧ୍ୟତାମୂଳକ ମାସ୍କ ପିନ୍ଧିବା ସହିତ କୋଭିଡ-୧୯ ସମ୍ପର୍କିତ ସମସ୍ତ କଟକଣାକୁ ହଟାଇ ଦିଆଯିବ। ଗୁରୁବାର ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦୁଇ ବର୍ଷରୁ ଅଧିକ ସମୟ ପରେ ମହାମାରୀ ସହ ଜଡିତ କଟକଣାକୁ ହଟାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ମୁକାବିଲା ପାଇଁ ମାସ୍କ ପ୍ରଥମ କବଚ କୁହାଯାଏ । ସଂକ୍ରମଣକୁ ରୋକିବାରେ ମାସ୍କର ଗୋଟିଏ ବଡ଼ ଭୂମିକା ରହିଛି । ଯେଉଁମାନେ କରୋନା ନିୟମ ଏଯାବତ ମାନିଛନ୍ତି, ମାସ୍କ ପିନ୍ଧିଛନ୍ତି ସେମାନେ ଏବେ ବି କରୋନାରେ ସଂକ୍ରମିତ ହୋଇ ନାହାନ୍ତି।

Also Read  ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପରେ ଦ୍ରୌପଦୀ ମୁର୍ମୁ ଶିକ୍ଷକତାରୁ ଆସି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି