ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

0
461

କଲୋମ୍ବୋ: ଶ୍ରୀଲଙ୍କାରେ କାଗଜ, ଡିଜେଲ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେଉଥିବା ବେଳେ ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାକୁ ନଜରରେ ରଖି ଶ୍ରୀଲଙ୍କାର ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ଶ୍ରୀଲଙ୍କା ସରକାର ଶୁକ୍ରବାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ବାସଭବନ ନିକଟରେ ସାମ୍ପ୍ରତିକ ଆର୍ଥିକ ସଙ୍କଟକୁ ନେଇ ହୋଇଥିବା ହିଂସାତ୍ମକ ବିକ୍ଷୋଭକୁ ‘ଆତଙ୍କବାଦୀ କାର୍ଯ୍ୟକଳାପ’ ବୋଲି କହିବା ସହ ଏହି ଘଟଣା ପାଇଁ ବିରୋଧୀ ଦଳଗୁଡ଼ିକ ସହ ଜଡ଼ିତ ଉଗ୍ରବାଦୀ ତତ୍ତ୍ୱଙ୍କୁ ଦାୟୀ କରିଛନ୍ତି ।

ଶ୍ରୀଲଙ୍କା ବୃଦ୍ଧି ପାଉଥିବା ଅର୍ଥନୈତିକ ସଙ୍କଟର ସମାଧାନ କରିବାରେ ବିଫଳ ହୋଇଥିବାରୁ ଗୁରୁବାର ଶତାଧିକ ବିକ୍ଷୋଭକାରୀ ରାଜପକ୍ଷେଙ୍କ ବାସଭବନ ବାହାରେ ଏକାଠି ହୋଇ ତାଙ୍କ ଇସ୍ତଫା ଦାବି କରିଥିଲେ ପରେ ସେଠାରେ ହିଂସାକାଣ୍ଡ ଘଟିଥିଲା। ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ଅନେକ ଲୋକ ଆହତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସ ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ କରିଥିଲା ।

ଇନ୍ଧନ କିଣିବାକୁ ଅସମର୍ଥ ଥିବା ଶ୍ରୀଲଙ୍କା ସରକାର ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରି ଟଙ୍କା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀଲଙ୍କାର ଶକ୍ତିମନ୍ତ୍ରୀ କହିଥିବା ଖବର ସରବରାହ ସଂସ୍ଥା ରଏଟର୍ସ କହିଛି। ରିପୋର୍ଟ ଅନୁୟାୟୀ, ଶ୍ରୀଲଙ୍କାରେ ଇନ୍ଧନ ଅଭାବ ଯୋଗୁଁ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ ହେଉଛି ।

ବର୍ତ୍ତମାନ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ଯୋଗୁଁ ଇନ୍ଧନ ଆମଦାନୀ ହୋଇପାରୁ ନ ଥିବା ବେଳେ ଗୋଟିଏ ପଟେ ରେକର୍ଡ ପରିମାଣର ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଛି ଏବଂ ଅନ୍ୟପଟେ ଜଳ ବିଦ୍ୟୁତ୍ ଉତ୍ପାଦନକାରୀ ଜଳଭଣ୍ଡାରରେ ପାଣି ଏତେ ତଳକୁ ଖସି ଆସିଛି ଯେ, ବିଦ୍ୟୁତ୍ କାଟ ଯୋଗୁଁ ସପ୍ତାହକ ପାଇଁ ଟ୍ରେଡିଂ କାରବାର ସମୟ ଦୁଇ ଘଣ୍ଟା କମାଇ ଦିଆଯାଇଛି ।

Also Read  Three Indians killed in Sri Lanka, narrow escape for others