ଇମ୍ରାନ ଖାନଙ୍କୁ ଆଶ୍ଵସ୍ତି: ଅନାସ୍ଥା ପ୍ରସ୍ତାବ ଖାରଜ, ସଂସଦ ଭଙ୍ଗ କଲେ ପାକିସ୍ତାନ ରାଷ୍ଟ୍ରପତି

0
401
imran-khan-advise-president-to-dissolve-assembly-no-trust-vote-cancelled

ଇସଲାମାବାଦ: ଗାଦିଚ୍ୟୁତ ହେବାରୁ ବର୍ତ୍ତ ଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଜି ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାର ଥିଲା । ଶେଷରେ ଯାହା ଚାହୁଁଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାହା ହେଲା। ଖାରଜ ହେଲା ତାଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ। ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ପାକିସ୍ତାନ ସଂସଦର ଉପ ବାଚସ୍ପତି କାସୀମ ଖାନ ସୁରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମ୍ବିଧାନର ଉଲ୍ଲଂଘନ ଦର୍ଶାଇ ଖାରଜ କରିଦେଇଛନ୍ତି । ପାକିସ୍ତାନ ରାଷ୍ଟ୍ରପତି ମଧ୍ୟ ଜାତୀୟ ସଂସଦ ଭଙ୍ଗ କରିଛନ୍ତି । ତିନି ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି କୁହାଯାଇଛି । ଅନାସ୍ଥା ପ୍ରସ୍ତାବ ଖାରଜ ନେଇ ଉପ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସେମାନେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବେ ବୋଲି ବିରୋଧୀ କହିଛନ୍ତି ।

ଆସାଦ କୈସର ବିରୋଧୀଙ୍କ ପକ୍ଷରୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ପରେ ସୁରୀ ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।

ଯେତେବେଳେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ପହଞ୍ଚିଲେ, ସେମାନେ ଅନାସ୍ଥା ପ୍ରସ୍ତାବ ପାରିତ ହେବା ନେଇ ବେଶ୍ ଆଶାବାଦୀ ଥିଲେ । ତେବେ ଉପ ବାଚସ୍ପତି କାସୀମ ଖାନ ସୁରି ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ କରିଦେବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉପ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ସେମାନେ ବିରୋଧ କରିଥିଲେ।

ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ନିମ୍ନ ଗୃହରେ ଥିବା ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ତାଙ୍କ ସପକ୍ଷରେ ୧୭୭ ସଦସ୍ୟଙ୍କ ସମର୍ଥନ ରହିଥିବା ଇମ୍ରାନ ଦାବି କରିଥିଲେ।

ମାର୍ଚ୍ଚ ୮ ରେ ମିଳିତ ବିରୋଧୀ ଦଳଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ପରଠାରୁ ପାକିସ୍ତାନ ରାଜନୀତି ସରଗରମ ହୋଇ ଉଠିଥିଲା । ବିରୋଧୀ ଦଳର ନେତାଙ୍କ ମାଧ୍ୟମରେ ତାଙ୍କୁ ଏକ ବିଦେଶୀ ଷଡଯନ୍ତ୍ରରେ ଟାର୍ଗେଟ କରାଯାଉଥିବା ଇମ୍ରାନ ଖାନ ଅଭିଯୋଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଶନିବାର ଦିନ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥକଙ୍କୁ ବିଶେଷ କରି ଯୁବପିଢିଙ୍କୁ ତାଙ୍କ ସରକାର ବିରୁଦ୍ଧରେ ହୋଇଥିବା “ବିଦେଶୀ ଷଡଯନ୍ତ୍ର” ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ନିବେଦନ କରିଥିଲେ।

Also Read  ଟଙ୍କା ବାଣ୍ଟିବା ବେଳେ ସ୍ଵାଧୀନ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ୨୫ ହଜାର ୬ ଶହ ଟଙ୍କା ଜବତ