ଓଡ଼ିଶା ମୋ ପରିବାର’ ସହାୟତାରେ ଦୁବାଇରୁ ଓଡ଼ିଶା ଫେରିଲା ପାର୍ଥୀବ ଶରୀର

0
310

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ବର୍ଷିୟ ଶେଖ୍ ସାଜିଦ ୨୦୧୮ ମସିହାରୁ ଦୁବାଇରେ ରହି ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ଗତ ଏପ୍ରିଲ ୯ ତାରିଖରେ ହୃଦ୍-ଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ ଚିକିତ୍ସା ଚାଲିଥିବା ସମୟରେ ହିଁ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଡାକ୍ତର ପୋଷ୍ଟମୋର୍ଟମ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟ ଏଭଳି ଦୁଃଖଦ ପରିସ୍ଥିତିରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ଓ ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବାରୁ ପୋଷ୍ଟମୋର୍ଟମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ତାଙ୍କ ଗ୍ରାମର ସରପଞ୍ଚଙ୍କର ସହାୟତା ଲୋଡିଥିଲେ । ପରେ ସେଠାକାର ସରପଞ୍ଚଙ୍କର ପୁଅ ଲୋହିତ କୁମାର ମହାନ୍ତି ‘ଓଡ଼ିଶା ମୋ ପରିବାର’କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଓ କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା ମଧ୍ୟ ଏଥିପାଇଁ ସୂଚିତ କରିଥିଲେ ।

ସୂଚନା ପାଇବା ପରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ପ୍ରତିନିଧି ତଥା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ, ଭାରତୀୟ ଦୂତରାଷ୍ଟ୍ର ଡଃ. ଅମନ୍ ପୁରିଙ୍କ ସହିତ ଯୋଗାଯୋଗ କରି ସଙ୍ଗେସଙ୍ଗେ ତାଙ୍କୁ ଦୁବାଇସ୍ଥିତ ଡାକ୍ତରଖାନାରେ ପୋଷ୍ଟମୋର୍ଟମ ପ୍ରକ୍ରିୟାରେ ସମସ୍ତ ସାହାଯ୍ୟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ସଂଯୋଜନା କରି ପାର୍ଥିବଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ପାର୍ଥୀବ ଶରୀର ଓଡ଼ିଶା ପହଞ୍ଚିବା ପରେ ‘ଓଡ଼ିଶା ମୋ ପରିବାର’ ପ୍ରତିନିଧିମାନେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ସାଜିଦଙ୍କ ମୃତଦେହ ତାଙ୍କ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।

ଯେହେତୁ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ, ପରିବାରର ଭବିଷ୍ୟତକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଓଡ଼ିଶା ମୋ ପରିବାର’ ମାଧ୍ୟମରେ ତାଙ୍କୁ ୩୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ଆଗାମୀ ଦିନରେ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବାକୁ ‘ଓଡ଼ିଶା ମୋ ପରିବାର’ର ଆବାହକ ପ୍ରତିଶ୍ରୁତି ଦେଇଥିଲେ । ପାର୍ଥୀବଶରୀର ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ଶ୍ରୀ ବେହେରା ସେଠାରେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ଶାନ୍ତ୍ଵନା ଦେବା ସହିତ ଶେଷକୃତ୍ୟ ସମ୍ପନ୍ନରେ ସହାୟତା ଯୋଗାଇ ଦେଇଥିଲେ ।

Also Read  PM Lands in Bhubaneswar, Will Inaugurate PBD Tomorrow