ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା

0
465
villagers-built-their-own-road

ମୋହନା: ଆଦିବାସୀ ଅଧ୍ୟୁଷିତ ଗଜପତି ଜ଼ିଲ୍ଲା ର ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଅନ୍ତର୍ଗତ ଗୁରୀଗୁଡା ଗ୍ରାମ। ଏହି ଗ୍ରାମରେ ଲାଞ୍ଜିଆ ସଉରା ଆଦିମ ଜନଜାତି ସମ୍ପ୍ରଦାୟର ୫୦ ପରିବାରର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି। ପ୍ରାୟତଃ ପୋଡୁଚାଷ ଏବଂ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ଏମାନେ ନିଜନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ପରିତାପର ବିଷୟ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ପାହାଡ଼ ଶୀର୍ଷ ରେ ଥିବା ଏହି ଗ୍ରାମ କୁ ଏକ ପକ୍କା ରାସ୍ତା ଟିଏ ସଂଯୋଗ ହୋଇପାରିନାହିଁ।

୨୦୦୭ ମସିହାରେ ବ୍ଲକ ପକ୍ଷରୁ ଏକ ମାଟି ରାସ୍ତା ର୍ନିମାଣ କରାଯାଇଥିଲା ଯାହା ଏବେ ସମ୍ପୂର୍ଣ ନଷ୍ଟ ହୋଇସାରିଲାଣି । ସେବେଠାରୁ ଗ୍ରାମବାସୀ ଗ୍ରାମକୁ ଏକ ପକ୍କା ରାସ୍ତା ଯୋଗାଇଦେବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଙ୍କ ପର୍ଯ୍ଯନ୍ତ ସମସ୍ତ ଙ୍କ ଠାରେ ଅଭିଯୋଗ କରିଛନ୍ତି । କିନ୍ତୁ ଫଳଶୂନ ।ଗ୍ରାମବାସୀ ଙ୍କ କହିବା ପ୍ରକାରେ ନିର୍ବାଚନ ସମୟରେ ମାଳ ମାଳ ନେତା ଭୋଟ ଭିକ୍ଷା ପାଇଁ ଗ୍ରାମକୁ ଆସନ୍ତି ପକ୍କା ରାସ୍ତା ଟିଏ ନିର୍ମାଣ କରିଦେବା ପାଇଁ ପ୍ରତିଶୃତି ଦିଅନ୍ତି କିନ୍ତୁ ନିର୍ବାଚନ ପରେ ନେତାଙ୍କ ପ୍ରତିଶୃତି ପାଣିରଗାର ହୋଇରହିଯାଏ। ପକ୍କା ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ ଗୁରୁତର ରୋଗୀ କିମ୍ବା ଗର୍ଭବତୀ ସ୍‌ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି କାରଣ ଆମ୍ବୁଲାନ୍ସ ଗ୍ରାମ କୁ ଯାଇପାରେନାହିଁ ।

ଅନ୍ଯ ଦିନ ମାନଙ୍କ ରେ ତ ଯେମିତି ସେମିତି ଚଳିଯାଏ କିନ୍ତୁ ବର୍ଷା ଦିନରେ ସ୍ଥିତି ବେହାଲ ହୋଇଯାଏ। ପିଲାଙ୍କ ସ୍କୁଲ, କଲେଜ ଯିବାଠାରୁ ଆରମ୍ଭ କରି ପଞ୍ଚାୟତ ରୁ ରାସନ ସାମଗ୍ରୀ ଆଣିବା ହେଉ କିମ୍ବା ଗୃହ ର୍ନିମାଣ ପାଇଁ କଞ୍ଚାମାଳ ପରିବହନ ସବୁ ଠପ୍‌ ହୋଇଯାଏ। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ କୁ ଶିକ୍ଷାଦାନ ପାଇଁ ଆସୁଥିବା ଶିକ୍ଷକ ମଧ୍ୟ ସମସ୍ଯା ରେ ପଡନ୍ତି। ତେଣୁ ବାଧ୍ୟହୋଇ ଗ୍ରାମବାସୀ ହାତରେ କୋଡ଼ି କୋଦାଳ ଧରି ଶ୍ରମଦାନ କରି ନିଜ ଗ୍ରାମର ରାସ୍ତା କୁ ନିଜେ ର୍ନିମାଣ କରିବା ପାଇଁ ବାହାରି ପଡିଛନ୍ତି। ପାଳି କରି ସମୟ ଦେଇ ଏମାନେ ଗ୍ରାମ ରାସ୍ତାକୁ ଗମନା ଗମନ ଉପଯୋଗୀ କରିବା ପାଇଁ ଉଦ୍ୟମ କରୁଛନ୍ତି।

ଗ୍ରାମର ସମସ୍ଯା ଦେଖିବା ପରେ ଆମେ ଏ ସମ୍ପର୍କ ରେ ପ୍ରତିକ୍ରିୟା ନେବା ପାଇଁ ମୋହନା ବ୍ଲକ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲୁ । କିନ୍ତୁ ବିଡ଼ିଓ ତପସ୍ବିନୀ ହାଁସଦା କହିଥିଲେ ଉପରୁ ଆଦେଶ ଅଛି ଆମେ କ୍ଯାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବୁନରହିଁ । ପରେ ଆମ ପ୍ରତିନିଧି ଗଜପତି ଜ଼ିଲ୍ଲାପାଳଙ୍କ ଦାୟିତ୍ୱ ରେ ଥିବା ଅତିରିକ୍ତ ଜ଼ିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ଫୋନ ଯୋଗେ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଶ୍ରୀଯୁକ୍ତ ପଣ୍ଡା ମଧ୍ୟ ବାତ୍ୟା ପ୍ରସ୍ତୁତି ରେ ବ୍ଯସ୍ତ ଥିବା କହି ଏହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ତେବେ ଦୃଷ୍ଟି ଆଢୁଆଳରେ ରହିଥିବା ଏହି ଗ୍ରାମକୁ ଯଦି ଅତିଶୀଘ୍ର ଏକ ପକ୍କା ରାସ୍ତା ଯୋଗାଇଦିଆନଯାଏ ତେବେ ଆଗାମୀ ଦିନରେ ଆଦିବାସୀ ମାନେ ମେଳି କରି ବ୍ଲକ କାର୍ଯ୍ଯାଳୟ ଘେରିବେ ବୋଲି ଚେତାବନୀ ଦେଇଛନ୍ତି l

Also Read  Vaccination in Odisha: 82.4% Of the Population Received 1st Dose against the national average of 79.8%