ଆସାମରେ ବନ୍ୟା ତାଣ୍ଡବ: ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ଅନେକ ଅଞ୍ଚଳ, ୭ ଜିଲ୍ଲାର ୫୭ ହଜାର ପ୍ରଭାବିତ

0
283
Floods in Assam: many parts of the state affected due to incessant rains

ଆସାମ: ଆସାମରେ ବନ୍ୟା ତାଣ୍ଡବ । ପ୍ରବଳ ବର୍ଷା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଆସାମରେ ଅତି ଭୟାବହ ସ୍ଥିତି ଉପୁଜିଛି । ଅବିଶ୍ରାନ୍ତ ବର୍ଷାରେ ଅନେକ ଅଞ୍ଚଳ ଉବୁଟୁବୁ ହୋଇଥିବା ବେଳେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଅନେକ ଗାଁ ପ୍ରଭାବିତ ହୋଇଛନ୍ତି । ୭ ଜିଲ୍ଲାର ପାଖପାଖି ୫୭ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୩୨୧.୪୪ ହେକ୍ଟର ଚାଷ ଜମି ଜଳମଗ୍ନ ଅବସ୍ଥାରେ ରହିଛି । ଉତ୍ତର ଭାରତରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଉତ୍ତର ପୂର୍ବରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ସହ ଭୂ-ସ୍ଖଳନ ସ୍ଥି୍ତିକୁ ଜଟିଳ କରିଦେଇଛି । ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିବା ବେଳେ ୧୨ଟି ଗାଁରେ ଲଗାତର ଭୂ-ସ୍ଖଳନ ଜାରିରହିଛି ।

ହଜାର ହଜାର ଲୋକ ବନ୍ୟା ଯୋଗୁ ଫସି ରହିଛନ୍ତି । ପାଣିରେ ଭାସିଯାଇ ଦିମା ଜିଲ୍ଲାରେ ଗତକାଲି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିବା ବେଳେ ଆଜି ତିନି ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏକାଧିକ ରେଳଧାରଣା ସମେତ ବ୍ରିଜ୍ ଓ କେତେକ ରାଜପଥ ନଷ୍ଟ ହୋଇଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ପ୍ରାୟ ୫୭ ହଜାର ଲୋକ ପାଣିଘେରରେ ରହିଥିବା ଏସଡିଆରଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟାରେ ୨୨୨ ଗାଁ ଜଳବନ୍ଦୀ ରହିଥିବା ବେଳେ ୨ ଶହ ଘର ଭାଙ୍ଗିଛି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ଅନେକ ଟ୍ରେନ ବାତିଲ କରାଯାଇଛି । ଫଳରେ ରେଳ ଷ୍ଟେସନରରେ ପର୍ଯ୍ୟଟକମାନେ ଫସି ରହିଛନ୍ତି । ଫସି ରହିଥିବା ୧୧୯ ଜଣ ଯାତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇ ସିଲଚର ଅଣାଯାଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆହୋଇଥିବା ସୂଚନାରେ ୩ ଜଣ ନିଖୋଜ ରହିଛନ୍ତି । ରାଜ୍ୟର ଡିଜାଷ୍ଟର ରେସପନ୍ସ ଫୋର୍ସ, ଅଗ୍ନିଶମବାହିନୀ, ଉଦ୍ଧାରରେ ଲାଗିପଡିଛନ୍ତି ।

Also Read  ଚେନ୍ନାଇରେ ଅବିଶ୍ରାନ୍ତ ବର୍ଷା : ଜନଜୀବନ ପ୍ରଭାବିତ

LEAVE A REPLY

Please enter your comment!
Please enter your name here