ନୂଆଦିଲ୍ଲୀ : ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣାରେ ନୂଆ ଖୁଲାସା। ସିଦ୍ଧୁଙ୍କୁ ହତ୍ୟା କରିବାକୁ ବ୍ୟବହାର ହୋଇଥିଲା AN 94 ଋଷିଆନ୍ ଆସଲ୍ଟ ରାଇଫଲ୍। ସିଦ୍ଧୁଙ୍କ ଉପରକୁ ଆକ୍ରମଣ କରିଥିଲେ ୮ ରୁ ୧୦ ଆକ୍ରମଣକାରୀ। ତେବେ ପଞ୍ଜାବ ଗ୍ୟାଙ୍ଗ୍ୱାର୍ରେ AN 94ର ବ୍ୟବହାର ପ୍ରଥମ ଥର ପାଇଁ ହୋଇଥିବା ଦେଖିବାକୁ ମିଳିଛି। ଅପର ପକ୍ଷରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସିଦ୍ଧୁଙ୍କୁ ହତ୍ୟା କରାଯିବା ବେଳେ ତାଙ୍କ ସହ ଆଉ ୨ ଜଣ ବ୍ୟକ୍ତି ତାଙ୍କ କାର୍ରେ ବସିଥିଲେ।
ପ୍ରତ୍ୟକ୍ଷଦର୍ଶୀ ଜଣଙ୍କ ପୁଣି କହିଛନ୍ତି ଯେ, ସିଦ୍ଧୁଙ୍କ ଉପରକୁ ୩୦ ରାଉଣ୍ଡରୁ ଅଧିକ ଗୁଳି ଚଳାଯାଇଛି। ସିଦ୍ଧୁଙ୍କ କାର୍ ଉପରକୁ ୩୫ ରୁ ୪୦ ରାଉଣ୍ଡ ଫାଇରିଂ ହୋଇଛି। ତାଙ୍କ ସହ ଉପସ୍ଥିତ ଥିବା ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା। ଏହାପରେ ପ୍ରତକ୍ଷ୍ୟଦର୍ଶୀ ଜଣଙ୍କ ସିଦ୍ଧୁଙ୍କୁ ତାଙ୍କ ଗାଡିରୁ ବାହାର କରି ଅନୂ ଏକ ଗାଡି ଯୋଗେ ହସ୍ପିଟାଲ ପଠାଇଥିଲେ। ସେତେବେଳେ ତାଙ୍କର ନିଃଶ୍ଵାସ ପ୍ରଶ୍ଵାସ ଚାଲିଥିଲା। ତେବେ ଘଟଣାସ୍ଥଳରୁ AN 94ର ତିନୋଟି ଗୁଳି ମିଳିଛି।
ପ୍ରକାଶ ଥାଉକି, ମେ ୨୯ରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଘର ଟାରୁ କିଛି କିଲୋମିଟର ଦୂରରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ପରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ। ଦୋହଲି ଯାଇଛି ସଙ୍ଗୀତ ଜଗତ। ସିଦ୍ଧୁଙ୍କ ପ୍ରଶଂସକଙ୍କ ଠାରୁ ନେଇ ମନୋରଞ୍ଜନ ଦୁନିଆର ତାରକାମାନେ ମର୍ମାହାତ ହୋଇଛନ୍ତି।

























