ଇସ୍‌ଲାମ୍‌କୁ ଅପମାନିତ କରିଥିବା କହି ଆଫଗାନ ଫେସନ୍‌ ମଡେଲ୍‌ଙ୍କୁ ଗିରଫ କଲା ତାଲିବାନ୍‌

0
463

ଇସ୍‌ଲାମାବାଦ୍‌: ଇସ୍‌ଲାମ୍‌ ଏବଂ କୋରାନ୍‌କୁ ଅପମାନିତ କରୁଥିବା ଦ‌ୋଷାରୋପ କରି ଜଣେ ସୁପରିଚିତା ଆଫଗାନ୍‌ ଫେସନ୍‌ ମଡେଲ୍‌ ଏବଂ ତାଙ୍କର ୩ଜଣ ସହଯୋଗୀଙ୍କୁ ତାଲିବାନ୍‌ ଗିରଫ କରିଛି। ଫେସନ୍‌ ସୋ’, ୟୁ ଟ୍ୟୁବ୍‌ କ୍ଲିପ୍‌ ଏବଂ ମଡେଲିଙ୍ଗ୍‌ ପାଇଁ ଜଣାଶୁଣା ଅଜ୍‌ମଲ୍‌ ହକିକିଙ୍କ ହାତରେ କଡ଼ି ପଡ଼ିଥିବା ଭିଡିଓ ମଙ୍ଗଳବାର ଦିନ ତାଲିବାନ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି ଟୁଇଟ କରିଛି।

ବହୁଳ ପ୍ରସାରିତ ଏବଂ ବିବାଦୀୟ ଭିଡିଓରେ ଖନପାଟିଆ ବୋଲି ଜଣାଶୁଣା ହକିକିଙ୍କ ସହଯୋଗି ଗୁଲାମ ଆରବିକ୍‌ ଭାଷାରେ କୋରାନ୍‌ରୁ ପଙ୍‌କ୍ତି ଉଚ୍ଚାରଣ କରୁଥିବା ବେଳେ ହକିକି ହସୁଥିବା ଦେଖାଯାଉଛି। ତାଲିବାନ୍‌ ରିଲିଜ୍‌ କରିଥିବା ଗିରଫ ପରବର୍ତ୍ତୀ ଭିଡିଓରେ ହକିକି ଏବଂ ତାଙ୍କର ସହଯୋଗୀମାନେ ଫିକା ବାଦାମୀ ଜେଲ୍‌ ପୋଷାକ ପିନ୍ଧି ତାଲିବାନ୍‌ ସରକାର ଏବଂ ଧାର୍ମିକ ନେତାମାନଙ୍କୁ କ୍ଷମାପ୍ରାର୍ଥନା କରୁଥିବାର ଦେଖାଯାଉଛି।

ଉପରୋକ୍ତ ଭିଡିଓ ସହ ଦାରି ଭାଷାରେ ପୋଷ୍ଟ୍‌ ହୋଇଥିବା ଟୁଇଟ୍‌ରେ ଲେଖାଅଛି: କେହି କୋରାନ୍‌ର ପଙ୍‌କ୍ତି ଅଥବା ମହମ୍ମଦଙ୍କ ବାଣୀକୁ ଅପମାନିତ କରିପାରିବେ ନାହିଁ। ତୁରନ୍ତ ଏବଂ ନିଃସର୍ତ୍ତରେ ହକିକି ଏବଂ ତାଙ୍କ ସହଯୋଗୀମାନଙ୍କୁ ମୁକ୍ତ କରିବା ପାଇଁ ବୁଧବାର ଦିନ ‘ଆମ୍‌ନେଷ୍ଟି ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ରିଲିଜ୍‌ କରିଥିବା ବିବୃତିରେ କହିଛି।

Also Read  ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀଙ୍କ ଅବସ୍ଥା ଗୁରୁତର