ATMରୁ ବାହାରୁଛି ୫ ଗୁଣା ଟଙ୍କା: ୧୦୦ ମାରିଲେ ଏଟିଏମ୍‌ରୁ ବାହାରୁଛି ୫୦୦ ଟଙ୍କା, ଲାଗିଲା ଲୋକଙ୍କ ଭିଡ଼

0
338
atm-dispenses-5-times-extra-cash-in-maharashtra

ମହାରାଷ୍ଟ୍ର: ATMରୁ ବାହାରୁଛି ୫ ଗୁଣା ଟଙ୍କା । ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଏଟିଏମରୁ ୫ ଗୁଣା ଟଙ୍କା ବାହାରୁଛି । ଅର୍ଥାତ ୫୦୦ ଟଙ୍କା ଉଠାଇଲେ ୫ଟା ୫୦୦ ଟଙ୍କା ବା ୨୫ ଶହ ଟଙ୍କା ବାହାରୁଛି ।

ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଖାରଖେଡ଼ା ଅଞ୍ଚଳରେ ବୁଧବାର ଏକ ପ୍ରାଇଭେଟ୍‌ ବ୍ୟାଙ୍କର ଏଟିଏମରୁ ଟାଇପ୍‌ କରାଯାଇଥିବା ଟଙ୍କା ବଦଳରେ ୫ ଗୁଣ ଅଧିକ ଟଙ୍କା ବାହାରିଥିଲା। ଏହି ଏଟିଏମ୍‌କୁ ଜଣେ ବ୍ୟକ୍ତି ୫୦୦ ଟଙ୍କା ଉଠାଇବାକୁ ଯାଇଥିଲେ। ଏଥିପାଇଁ ସେ ୫୦୦ ଟଙ୍କା ଟାଇପ୍‌ କରିଥିଲେ। କିନ୍ତୁ ଏଟିଏମ୍‌ରୁ ଗୋଟିଏ ୫୦୦ ଟଙ୍କା ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ୍‌ ବାହାରିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ ସେ ପୁଣିଥରେ ୫୦୦ ଟଙ୍କା ବାହାର କରିଥିଲେ। କିନ୍ତୁ ଏଥରକ ବି ୨୫୦୦ ଟଙ୍କା ବାହାରିଥିଲା। ସେ ବୁଝିଯାଇଥିଲେ ଯେ ଏହି ଏଟିଏମ୍‌ରୁ ୫ ଗୁଣ ଅଧିକ ଟଙ୍କା ବାହାରୁଛି।

ଏ ନେଇ ବ୍ୟକ୍ତି ଜଣକ ସ୍ଥାନୀୟ ଲୋକଙ୍କୁ କହିବାରୁ ଏହି ଏଟିଏମ୍‌ରୁ ଟଙ୍କା ନେବା ପାଇଁ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଲୋକମାନେ ଏହି ଏଟିଏମ୍‌କୁ ୫ ଗୁଣା ଅଧିକ ପଇସା ନେବାକୁ ଲାଇନ୍‌ ଲଗାଇ ଠିଆ ହୋଇ ଯାଇଥିଲେ। ତେବେ ଏ ନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍‌କୁ ବନ୍ଦ କରିଛନ୍ତି।

ଖବର ପାଇଁ ବ୍ୟାଙ୍କ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ୧୦୦ ଟଙ୍କା ରଖାଯାଇଥିବା ଟ୍ରେରେ ଭୁଲରେ ୫୦୦ ଟଙ୍କିଆ ନୋଟ୍‌ ରଖି ଦିଆଯାଇଥିଲା। ଫଳରେ ୧୦୦ ଟଙ୍କା ଜାଗାରେ ୫୦୦ ଟଙ୍କା ବାହାରୁ ଥିଲା। ଏ ନେଇ ଜାଣିବା ପରେ ତୁରନ୍ତ ଏଟିଏମ୍‌କୁ ବନ୍ଦ କରି ଦିଆଯାଇଛି ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି।

Also Read  ଆଜି ମୁକ୍ତିଲାଭ କରିବ ଅମୀର ଓ କରୀନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା‌’