ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରାୟ ୧୫ ହଜାର ଲୋକଙ୍କ ସହ ଏକାଠୀ ଯୋଗ କଲେ ପ୍ରଧାନମନ୍ତ୍ରୀ

0
326
international-yoga-day

ଭାରତରେ ଆରମ୍ଭ ହୋଇଥିବା ପାଞ୍ଚ ହଜାର ବର୍ଷ ପ୍ରାଚୀନ ଏହି ଅଭ୍ୟାସ ଆଜି ସମଗ୍ର ବିଶ୍ୱରେ ଆଦୃତି ପାଇଛି । ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ମିଳିଛି ବ୍ୟାପକ ସ୍ୱୀକୃତି । ଭାରତର ଏହି ଆଧ୍ୟାତ୍ମିକ ଅଭ୍ୟାସକୁ ସାରା ବିଶ୍ୱ ମାନିଛି । ସେଥିପାଇଁ ବିଶ୍ୱବାସୀ ପାଳନ କରୁଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ । ‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଆଜି ଏହା ପ୍ରମାଣିତ । ଏହା ଏକ ଆଧ୍ୟାତ୍ମିକ ଅଭ୍ୟାସ, ଯାହା ଶାନ୍ତି, ଆତ୍ମବିଶ୍ୱାସ ଓ ସାହସକୁ ପ୍ରୋତ୍ସାହିତ କରେ । ଶରୀର, ମନ ଓ ମସ୍ତିଷ୍କକୁ ସକାରାତ୍ମକ ମାର୍ଗରେ ନିୟନ୍ତ୍ରଣ କରେ । ଏହି ବାର୍ତ୍ତାର ପ୍ରଚାର ପ୍ରସାର ଅନ୍ତର୍ଜାତୀୟ ଯୋଗ ଦିବସର ଲକ୍ଷ୍ୟ ।

କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ପରେ ଭାରତରେ ଧୁମଧାମରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକର ମହୀଶୁରରେ ଗଣ ଯୋଗ ସମାବେଶରେ ଯୋଗଦେଇଛନ୍ତି । ପାୟ ୧୫ ହଜାର ଲୋକଙ୍କ ସହ ମିଶି ଏକାଠୀ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ। ସକାଳ ୫. ୩୦ ମିନିଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଶ୍ୱକୁ ସୁସ୍ଥତା ଓ ଶୁଦ୍ଧତାର ମାର୍ଗଦର୍ଶନ କରାଉଥିବା ଏହି ଦିବସରେ ଦେଶର ବିଭିନ୍ନ କୋଣରୁ ଲୋକ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ ମୁକ୍ତ ହୋଇ ନ ଥାଏ ବରଂ ମନକୁ ମଧ୍ୟ ଶାନ୍ତି ମିଳିଥାଏ। ନୀରୋଗ ରହିବା ପାଇଁ ପ୍ରତିଦିନ ଜିମ୍ ଯିବା ଦରକାର ନାହିଁ କି କଠିନ କସରତ କରିବାର ଆବଶ୍ୟକତା ନାହିଁ । ନିୟମିତ ଜଣେ ଘରେ ଯୋଗାଭ୍ୟାସ କରି ସୁସ୍ଥ ରହିପାରିବେ । ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଯୋଗ ଦିବସକୁ ସମଗ୍ର ବିଶ୍ବରେ ପାଳନ କରାଯିବାର ପ୍ରୟାସ ଭାରତ ଦ୍ବାରା ହିଁ କରାଯାଇଥିଲା। ୨୭ ସେପ୍ଟେମ୍ବର ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ବୈଠକରେ ସମଗ୍ର ବିଶ୍ବରେ ଯୋଗ ଦିବସ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରସ୍ତାବରେ ମିଳିତ ଜାତିସଂଘ କେବଳ ତିନି ମାସ ମଧ୍ୟରେ ଏହାକୁ ସ୍ୱୀକୃତି ଦେଇଥିଲା। ମିଳିତ ଜାତିସଂଘର ମଞ୍ଜୁରୀ ପରେ ୨୧ ଜୁନ୍ ୨୦୧୫ରେ ପ୍ରଥମ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପାଖାପାଖି ୩୫ ହଜାରରୁ ଅଧିକ ଲୋକ ଏବଂ ୮୪ ଦେଶର ପ୍ରତିନିଧି ନୂଆଦିଲ୍ଲୀର ରାଜପଥରେ ପାଖାପାଖି ୩୫ ମିନିଟ୍‌ ଧରି ଯୋଗର ୨୧ଟି ଆସନ କରିଥିଲେ।

Also Read  Build up to Yoga Day, Modi post 'tadasana' video

ଆତ୍ମନିୟନ୍ତ୍ରଣ, ଆତ୍ମ-ଶୃଙ୍ଖଳା ଓ ଆତ୍ମଜ୍ଞାନ ପ୍ରଦାନ କରିବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦୈନନ୍ଦିନ ଯୋଗାଭ୍ୟାସ ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଚଳିତବର୍ଷ ଥିମ୍ ରହିଛି ‘ମାନବତା ପାଇଁ ଯୋଗ’। ଏହି ଦିବସ ପାଳନ ଅବସରରେ ସାରା ଦେଶରେ ଯୋଗ ଶିବିରମାନ ଅାୟୋଜନ କରାଯାଇ ଲୋକମାନଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଉତ୍ସାହିତ କରାଯାଏ।