ଶ୍ରୀଜୀଉଙ୍କ ବାହୁଡା ଯାତ୍ରା

0
458
Bahuda Jatra Puri
Bahuda Yatra Puri

ଜୁଲାଇ ୮ ତାରିଖ
ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା କୁ ନବଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାଏ I ରଥଯାତ୍ରା ଦିନ ରତ୍ନସିଂହାସନ ଛାଡି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଗମନ କରିଥାଆନ୍ତି I ଗୁଣ୍ଡିଚା ମନ୍ଦିର ହେଉଛି ଶ୍ରୀଜିଉମାନଙ୍କର ଜନ୍ମସ୍ଥାନ ବା ଜନ୍ମବେଦୀ I ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଶୁନ୍ୟବାଣୀ ଅନୁସାରେ ଶ୍ରୀକ୍ଷେତ୍ରର ମହୋଦଧି ତଟରେ ଭାସମାନ ଦାରୁ ସଂଗ୍ରହ କରି ଯେଉଁଠାରେ ଶ୍ରୀଜିଉମାନଙ୍କ ବିଗ୍ରହ ନିର୍ମାଣ କରାଯାଇଥିଲା ସେହିସ୍ଥଳକୁ ଗୁଣ୍ଡିଚା ମଣ୍ଡପ କୁହାଯାଏ I ଗୁଣ୍ଡିଚାରାଣୀଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା ପାଇଁ ଶ୍ରୀଜଗନ୍ନାଥ ବର୍ଷକରେ ଥରେ ନିଜର ଜନ୍ମ ସ୍ଥାନ କୁ ଯାତ୍ରା କରିଥାଆନ୍ତି I

ନଅଦିନ ପରେ ଆଷାଢ଼ ଶୁକ୍ଳ ଦଶମୀଦିନ ଶ୍ରୀଜୀଉମାନେ ପୁଣି ରଥାରୁଢ଼ ହେଇ ଆଡ଼ପ ମଣ୍ଡପରୁ ଶ୍ରୀମନ୍ଦିର କୁ ବାହୁଡ଼ି ଆସନ୍ତି I ଶ୍ରୀମନ୍ଦିର କୁ ଠାକୁର ଙ୍କ ପ୍ରତ୍ୟାବର୍ତନ ବା ବାହୁଡା ପର୍ବକୁ ବାହୁଡା ଯାତ୍ରା କୁହାଯାଇଥାଏ I ହେରା ପଞ୍ଚମୀ ରେ ମା ମହାଲକ୍ଷ୍ମୀ ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେଇଥାଏ I ରଥ ଯାତ୍ରାରେ ତିନିରଥ ଉତ୍ତରାମୁଖୀ ହେଇ ଯାତ୍ରା କରିଥାଆନ୍ତି ଏବଂ ବାହୁଡା ବେଳେ ଏହି ଯାତ୍ରା ଦକ୍ଷିଣାମୁଖୀ ହେଇଥାଏ I

ଆଡ଼ପ ମଣ୍ଡପରେ ସାତଦିନ ଅବସ୍ଥାନ ପରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ଶ୍ରୀମନ୍ଦିର କୁ ଫେରିଯାଆନ୍ତି I ଅଷ୍ଟମୀ ଦିନ ଶ୍ରୀଜଗନ୍ନାଥଙ୍କର ଆଜ୍ଞାମାଳ ରଥଉପରେ ପହଂଚିବା ପରେ ରଥ ତିନିଗୋଟିକୁ ଦକ୍ଷିଣାଭିମୁଖୀ ବା ଦକ୍ଷିଣମୋଡ଼ କରାଯାଏ I ନବମୀ ଦିନ ଜୀଉଙ୍କର ନବଦିନାନ୍ତ ଦର୍ଶନ ବା ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୁଏ I

ଦଶମୀଦିନ ଦେବତାମାନେ ଧାଡିପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି I ରଥ ଉପରେ ବିଭିନ୍ନ ନୀତି ପାଳିତ ହୁଏ I ଗଜପତି ମହାରାଜା ଛେରାପହଁରା କରନ୍ତି I ଛେରାପହଁରା ପରେ ଦକ୍ଷିଣାଭିମୁଖୀ ଯାତ୍ରା ବା ବାହୁଡା ଯାତ୍ରା ଆରମ୍ଭ ହୁଏ I ବଳଭଦ୍ରଙ୍କ ତାଳଧ୍ୱଜ ରଥ, ତାପରେ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହେଇ ବଡଦାଣ୍ଡ ରେ ଶ୍ରୀମନ୍ଦିର ଆଡକୁ ଯାଏ I

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମା ଙ୍କ ମନ୍ଦିର ନିକଟରେ ରହେ I ମାଉସୀ ମା କିମ୍ବା ଅର୍ଦ୍ଧାଶିନୀ ଦେବୀ ହେଉଛନ୍ତି ଜଗନ୍ନାଥଙ୍କ ମାଉସୀ ମା I ମାଉସୀ ମାଙ୍କର ପୋଡପିଠା ଲାଗି ହେଇସାରିବା ପରେ ନନ୍ଦିଘୋଷ ରଥ ଟଣା ପୁଣି ଆରମ୍ଭ ହୁଏ I
ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରା ଙ୍କ ଦେବଦଳନ ରଥ ସିଂହଦ୍ୱାର ନିକଟରେ ପହଂଚିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରାଜନଅର ନିକଟରେ ରୁହନ୍ତି I ବିମାନବଡୁ ମାନେ ଲକ୍ଷ୍ମୀଙ୍କୁ ଆଣି ସିଂହଦ୍ୱାର ଚାହାଁଣି ମଣ୍ଡପରେ ରହି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଡକୁ ମୁହଁ କରାଇଥାନ୍ତି I ଗଜପତି ମହାରାଜା ଲକ୍ଷ୍ମୀ-ନାରାୟଣ ଭେଟ କରାନ୍ତି I ପରେ ନନ୍ଦିଘୋଷ ରଥ ପୁଣି ଗଡ଼ିବା ଆରମ୍ଭ କରେ ଏବଂ ସିଂହଦ୍ୱାର ନିକଟକୁ ଆସିଥାଏ I

Also Read  Lady tourist’s Handbag having cash and cell-phone robbed off at the Beleswar Beach in Puri, Odisha

 

 

LEAVE A REPLY

Please enter your comment!
Please enter your name here