ସିନେ ଦୁନିଆରୁ ବାହାରି ଘରସଂସାରରେ ମଜିଗଲେ ଅଭିନେତ୍ରୀ ଆସିନ

0
1857

ଏକଦା ‘ବଲିଉଡ୍‌ର ରାଣୀ’ ଭାବେ ବିବେଚିତ ଅଭିନେତ୍ରୀ ଆସିନ୍‌ ଥୋଟ୍ଟୁମ୍‌କଲ ଘରସଂସାରରେ ଏପରି ମଜି ଯାଇଛନ୍ତି ଯେ ଦୀର୍ଘ ସାତ ବର୍ଷ ହେଲା ତାଙ୍କୁ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନି। ତେବେ ଅତୀତରେ ନିଜର ୧୫ ବର୍ଷର ଅଭିନୟ ଜୀବନରେ ସେ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମ୍‌ ଭାଷାର ପଚାଶ ସରିକି ସିନେମାରେ ଅଭିନୟ କରି ଦର୍ଶକମାନଙ୍କୁ ଯଥୋଚିତ ମନୋରଞ୍ଜନ ଯୋଗାଇଥିଲେ। ଅଭିନୟ ପାଇଁ ତିନି ଥର ‘ଫିଲ୍ମଫେୟାର ସମ୍ମାନ’ ସମେତ ୧୬ ଥର ଜାତୀୟ ସ୍ତରୀୟ ପୁରସ୍କାର ହାସଲ ପୂର୍ବକ ନିଜ ଉଚ୍ଚକୋଟୀର ଦକ୍ଷତାର ପ୍ରମାଣ ଦେଇଥିବା ଆସିନ୍‌ ଏବେ ବି ପ୍ରଶଂସକଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି।

କେରଳର କୋଚିନ୍‌ ଠାରେ ଏକ ମାଲାୟଲୀ ପରିବାରରେ ୧୯୮୫ ଅକ୍ଟୋବର ୨୬ରେ ଜନ୍ମ ନେଇଥିବା ଆସିନ୍‌ ଇଂରାଜୀ ସାହିତ୍ୟରେ ସ୍ନାତକ ଡିଗ୍ରି ହାସଲ କରିବା ସହ ସେ ଜଣେ ପ୍ରଶିକ୍ଷିତା ଭାରତନାଟ୍ୟମ୍‌ ନୃତ୍ୟାଙ୍ଗନା। ଆଠଟି ଭାଷାରେ କଥାବାର୍ତ୍ତା କରି ପାରୁଥିବା ଆସିନ୍‌ ହେଉଛନ୍ତି ପଦ୍ମିନୀ ରାମଚନ୍ଦ୍ରନ୍‌ଙ୍କ ପରେ ଏକମାତ୍ର ମାଲାୟଲୀ ଅଭିନେତ୍ରୀ ଯିଏ ସ୍ବାଭିନୀତ ବିଭିନ୍ନ ଭାଷାର ଫିଲ୍ମରେ ନିଜେ ହିଁ କଣ୍ଠଦାନ କରିଛନ୍ତି। ଗ୍ଲାମର ଦୁନିଆରେ ତାଙ୍କର ପ୍ରଥମ ପ୍ରବେଶ ହୋଇଥିଲା ‘ବିପିଏଲ୍‌ ମୋବାଇଲ୍‌ ଫୋନ୍‌’ର ବିଜ୍ଞାପନରେ।

ଏହାପରେ ୨୦୦୧ରେ ମାତ୍ର ୧୫ ବର୍ଷ ବୟସରେ ମାଲାୟଲୀ ସିନେମା ‘ନରେନ୍ଦ୍ରନ୍‌ ମକାନ୍‌ ଜୟକନ୍ଥନ ବକା’ରେ ତାଙ୍କ ପ୍ରଥମ ପଦାର୍ପଣ ଦର୍ଶକ ଓ ସମୀକ୍ଷକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ତେବେ ଏହାପରେ ନିଜ ଶୈକ୍ଷିକ ପରୀକ୍ଷା ପାଇଁ ବର୍ଷକରୁ ଅଧିକ ସିନେମା ଜଗତରୁ ଦୂରେଇ ଯାଇ ସେ ୨୦୦୩ରେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ ହାସ୍ୟରସାତ୍ମକ ତେଲୁଗୁ ଫିଲ୍ମ ‘ଆମ୍ମା ନାନ୍ନା ଓ ତାମିଲା ଆମ୍ମାୟି’ର ମୁଖ୍ୟ ଚରିତ୍ରରେ। ତାହା ତାଙ୍କ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଫିଲ୍ମଫେୟାର ସମ୍ମାନ’ ଆଣିଦେଇଥିଲା।

ସେହିବର୍ଷ ତାଙ୍କ ଅଭିନୀତ ଅନ୍ୟତମ ତେଲୁଗୁ ଫିଲ୍ମ ‘ଶିବମଣି’ ମଧ୍ୟ ଅନୁରୂପ ଲୋକପ୍ରିୟତା ଦୋହରାଇଥିଲା। ସେହିପରି ତାଙ୍କର ପ୍ରଥମ ତାମିଲ ଫିଲ୍ମ ‘ଏମ୍‌ କୁମାରନ୍‌ ସନ୍‌ ଅଫ୍‌ ମହାଲକ୍ଷ୍ମୀ’ ମଧ୍ୟ ଦର୍ଶକ ମହଲରେ ଚହଳ ପକାଇ ଦେଇଥିଲା। ଏହାପରେ ୨୦୦୮ରେ ‘ଗଜନି’ ପରି ହିନ୍ଦୀ ସିନେମା ଏବଂ ‘ଶିବକାଶି’, ‘ବରଲାରୁ’ ଓ ‘ପୋକ୍କିରି’ ଆଦି ତାମିଲ ସିନେମାରେ ସେ ନିଜକୁ ଜଣେ ମୁଖ୍ୟ ନାୟିକା ଭାବେ ପ୍ରତିଷ୍ଠିତ କରିପାରିଥିଲେ। ଏହାପରେ ‘ଲଣ୍ଡନ ଡ୍ରିମ୍‌ସ’ ଓ ‘ରେଡି’ ଏବଂ ୨୦୧୨ରେ ‘ବୋଲ୍‌ ବଚନ’ ଓ ‘ଖିଲାଡ଼ି’ ପରି ହିନ୍ଦୀ ସିନେମାରେ ମଧ୍ୟ ଆସିନ୍‌ଙ୍କ ପ୍ରଦର୍ଶନ ଆଶାନୁରୂପ ରହିଥିଲା।

Also Read  B-Town celebs wish 'Desi girl' Priyanka on her birthday

ତାଙ୍କର ଶେଷ ହିନ୍ଦୀ ଫିଲ୍ମ ଥିଲା ୨୦୧୫ର ‘ଅଲ୍‌ ଇଜ୍‌ ୱେଲ’ ଯେଉଁଥିରେ ତାଙ୍କ ଅଭିନୀତ ନିମ୍ମି ସିଂହ ଚରିତ୍ରକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ତେବେ ଏତେ ପ୍ରତିଷ୍ଠା ଓ ଲୋକପ୍ରିୟତା ସତ୍ତ୍ବେ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହେଲା ପରେ ଆସିନ୍‌ ସିନେ ଜଗତରୁ ଏକ ରକମ ସନ୍ନ୍ୟାସ ନେଇଛନ୍ତି କହିଲେ ଚଳେ। ସ୍ବାମୀ ତଥା ‘ମାଇକ୍ରୋମାକ୍ସ’ ସିଇଓ ରାହୁଳ ଶର୍ମା ଓ ପାଞ୍ଚବର୍ଷର ଏକମାତ୍ର କନ୍ୟା ସନ୍ତାନ ଆରିନ୍‌ଙ୍କ ସହ ଘରସଂସାରରେ ମସଗୁଲ ଥିବା ଆସିନ୍‌ଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନକୁ ତଥାପି ପ୍ରଶଂସକମାନେ ଚାତକ ପରି ଚାହିଁ ରହିଛନ୍ତି।