କଲମ୍ବୋ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି । ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ହିଂସାର ରୂପ ନେଇଛି । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ମଧ୍ୟ ଲୋକଙ୍କ କ୍ରୋଧ କମିନାହିଁ। ଉତ୍ତ୍ୟକ୍ତ ଲୋକେ ମହିନ୍ଦା ରାଜପକ୍ଷେଙ୍କ ପୈତୃକ ଘରେ ନିଆଁ ଲଗାଇ ଦେଇଛନ୍ତି। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଶାସକ ଦଳର ସମର୍ଥକ ଓ ବିକ୍ଷୋଭକାରୀ ମଧ୍ୟରେ ଘଟିଥିବା ସଂଘର୍ଷରେ ଜଣେ ସାଂସଦଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ହିଂସା ପରେ ସରକାର ସାରା ଦେଶରେ କର୍ଫ୍ୟୁ ଜାରି କରିଛନ୍ତି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେନା ମୁତୟନ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଶାସକ ଦଳର ଜଣେ ସାଂସଦ ଜଣେ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ବି ଗୁଳି କରି ହତ୍ୟା କରିଛନ୍ତି । କିଛି ଲୋକ ଅନ୍ୟ ଜଣେ ସାଂସଦଙ୍କ ଘରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଏଥି ସହ କଲମ୍ବୋଠାରୁ ୨୫୦ କିଲୋମିଟର ଦୂରରେ ଥିବା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପୈତୃକ ଘରକୁ ଜାଳି ଦେଇଛନ୍ତି । ୩ ଜଣ ପୂର୍ବତନ ମନ୍ତ୍ରୀ ଓ ୨ ଜଣ ସାଂସଦଙ୍କ ଘରକୁ ଆନ୍ଦୋଳନକାରୀ ଜାଳି ଦେଇଛନ୍ତି ।
ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦିନକୁ ଦିନ ଦେଶର ପରିସ୍ଥିତି ଜଟିଳ ହେବାରେ ଲାଗିଲାଣି । କେବଳ ପ୍ରଧାନମନ୍ତ୍ରୀଙ୍କ ଉପରେ ନୁହେଁ ରାଷ୍ଟ୍ରପତି ଗୋତବାୟ ରାଜପକ୍ଷେଙ୍କ ଉପରେ ଦିନକୁ ଦିନ ଚାପ ବଢୁଛି । ଶ୍ରୀଲଙ୍କାରେ ବେଶ କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଖାଯିବା ପରେ ଦେଶବାସୀଙ୍କ ବିରୋଧରେ ସମ୍ମୁଖୀନ ହେଉଛନ୍ତି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।