ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏନ୍ଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । କ୍ୟାପ୍ଟେନଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ବିଜେପିରେ ବିଲୟ ହେବା ନେଇ ପ୍ରସ୍ତୁତି ଚାଲିଥିବାବେଳେ ଏହି ଚର୍ଚ୍ଚା ଜୋର୍ ଧରିଛି ।
ଅମିରନ୍ଦର ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ନିଜର ଏକ ନୂଆ ଦଳ ପଂଜାବ ଲୋକ କଂଗ୍ରେସ ସ୍ଥାପନ କରିଥିଲେ । ଏହି ଦଳ ବିଜେପି ସହ ମିଶି ପଂଜାବର ବିଧାନସଭା ନିର୍ବାଚନ ଲଢିଥିଲେ ବି ବିଶେଷ ସଫଳତା ପାଇପାରିନଥିଲା । କ୍ୟାପ୍ଟେନ ନିଜ ଦଳ ଲୋକ କଂଗ୍ରେସକୁ ବିଜେପିରେ ମିଶାଇବାକୁ ପ୍ରସ୍ତୁତି କରିବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୟାପ୍ଟେନ ଅମରିନ୍ଦରଙ୍କର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଅଛି । କୁହାଯାଉଛି ଯେ, ଦଳ ମିଶାଇବା ସହ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବ । ସୂଚନାନୁସାରେ, କ୍ୟାପଟେନ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ସେ ଚଳିତମାସ ଦ୍ୱିତୀୟ ସପ୍ତାହରେ ପଞ୍ଜାବ ଫେରିବେ ବୋଲି କୁହାଯାଉଛି ।
ସେପଟେ ବିଜେପି ଅମରିନ୍ଦରଙ୍କୁ ପ୍ରାର୍ଥୀ କରିବା ଆଳରେ ଶିଖ୍ ସମୁଦାୟର ନିକଟତର ହେବାକୁ ଉଦ୍ୟମ କରୁଛି । କୃଷି ସଂସ୍କାର ଆଇନକୁ ବିରୋଧ କରି ହୋଇଥିବା ଚାଷୀ ଆନ୍ଦୋଳନ ଯୋଗୁ ଶିଖ୍ମାନେ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏଭଳି କ୍ଷେତ୍ରରେ ଶିଖ୍ଙ୍କ ନିକଟତର ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ଶିଖ୍ ବ୍ୟକ୍ତିତ୍ୱମାନଙ୍କୁ ଭେଟୁଛନ୍ତି ।
ସୂଚନାଥାଉକି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ ତାରିଖରେ ଶେଷ ହେବ । ତା’ ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ୫ ଜୁଲାଇରେ ବିଜ୍ଞପ୍ତି ଜାରି ହେବା ପରେ ୧୯ ଜୁଲାଇରେ ନାମାଙ୍କନ ଦାଖଲ ହେବ । ବିଜେପି କ୍ୟାପ୍ଟେନଙ୍କ ସାହାରାରେ ପଞ୍ଜାବରେ ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।