ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ପୁରୀ ପହଞ୍ଚି ସ୍ତିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି

0
482
meeting-of-the-managing-committee-of-srimandir

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା ପରେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ରୋଷଘର ପରିଦର୍ଶନ କରିବା ସହ ସେବାୟତଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘଟଣାର ନେଇ ମାମଲା ରୁଜୁ ହୋଇସାରିଛି ଏବଂ ପୋଲିସ ତଦନ୍ତ କରୁଛି । ବର୍ତ୍ତମାନ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ଥିବା ଦେଖିବାକୁ ମିଳିଛି । ଏହା ସହ ମନ୍ଦିର ପରିସରରେ ଜେଟିପି ସହ ସରକାରୀ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲଗାଯିବ । ତେବେ ସୁଅର-ମହାସୁଅର ସେବାୟତଙ୍କ ମଧ୍ୟରେ ସେଭଳି କିଛି ମନମାଳିନ୍ୟ ନାହିଁ, ଯାହାର ପରିଣାମ ସ୍ୱରୂପ ଏଭଳି ଘଟଣା ଘଟିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ରୋଷ ଘର ଭଙ୍ଗାଯିବା ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠିତ ହୋଇଛି। ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ସବୁ ଦିଗରୁ ତଦନ୍ତ ଚାଲିଛି।ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କେ.ବିଶାଲ ସିଂହଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ରୋଷଘର ଚୁଲି ଦୁର୍ବୃତ୍ତମାନେ ରବିବାର ଭୋରୁ ଭାଙ୍ଗି ଦେଇଛନ୍ତି। ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୧୦୦ ଚୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ତାଲା ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି , ଏମାର ଚୁଲି, ଓଡିଆ ଚୁଲି ସୁରକ୍ଷିତ ରହିଛି ।ଅନ୍ୟ ସମସ୍ତ ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।

Also Read  SOA President felicitates Prof (Dr) Ashok Mahapatra