ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

0
383
cm-mamata-banerjee-sacks-minister-partha-chatterjee

କଲିକତା: ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ବିବାଦୀୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଦୁର୍ନୀତିର ପ୍ରମାଣ ମିଳିବା ପରେ ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡ଼ିର କାର୍ଯ୍ୟାନୁଷ୍ଠାନ ତଥା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାର୍ଥଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ତାଙ୍କ ଉପରେ ଦୁର୍ନୀତି କରିଥିବାର ଆରୋପ ଲାଗିବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସହଯୋଗୀ ଅର୍ପିତାଙ୍କ ଗୋଟିଏ ପରେ ଗୋଟିଏ ଫ୍ଲାଟ ଉପରେ ଚଢ଼ଉ କରି ଟଙ୍କା ଜବତ କରୁଛି। ପାର୍ଥଙ୍କ ଗିରଫକୁ ନେଇ ଏବଂ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିବା ଜଣାପଡ଼ିଛି। ପାର୍ଥ ଟିଏମ୍‌ସି ସରକାରରେ ଉଦ୍ୟୋଗ ଓ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପଦରେ ଥିଲେ।

ଆଜି ଏ ସମ୍ପର୍କିତ ଆଲୋଚନା ପାଇଁ କ୍ୟାବିନେଟ୍ ବୈଠକ ଡକାଇଥିଲେ ମମତା। ଏହି ବୈଠକରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ବୈଠକ ଶେଷ ପରେ ଆଶଙ୍କା ସତ ହୋଇଛି। ତେବେ ଏହା ପୂର୍ବରୁ ପାର୍ଥଙ୍କୁ ନେଇ ନିରବ ରହୁଥିଲେ ମମତା। କିଛି ଦିନ ପରେ ମୁହଁ ଖୋଲି କହିଥିଲେ ଯଦି ପାର୍ଥ ସେମିତି କରିଛନ୍ତି ତେବେ ତାଙ୍କୁ ଆଜୀବନ ସଜା ହେଲା ବି ମନଦୁଃଖ ନାହିଁ। ଏହାପରେ ଦଳର ଅନ୍ୟ କୌଣସି ନେତାଙ୍କୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିରବତା ନେଇ ସମାଲୋଚନାର ଶିକାର ହେବା ପରେ ମମତା ଆଜି ନିଜର ଛବି ନିର୍ମଳ ରଖିବାକୁ ଏଭଲି ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଘରୁ ଇଡି ପ୍ରଥମେ ୨୧.୯୦ କୋଟି ଟଙ୍କା ଜବତ କରିଥିଲା। ପୁଣି ବୁଧବାର ତାଙ୍କ ଆଉ ଏକ ଘରୁ ୨୮.୯୦ କୋଟିର ନଗଦ ଟଙ୍କା ସହ ୫ କେଜି ସୁନା ଜବତ କରିଥିଲା।

Also Read  Road Accident on NH-215 in Keonjhar, Odisha kill 2 persons