ଭୁବନେଶ୍ବର: ବାତ୍ୟାର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଉ ବାତ୍ୟା ଉପକୂଳ ପହଞ୍ଚିବା ଆଗରୁ ସମୁଦ୍ର ଭିତରେ ରି-କର୍ଭ କରିବ, ଅର୍ଥାତ୍ ବାତ୍ୟାର ଦିଗ ବଦଳିଯିବା ଆଶଙ୍କା ରହିଛି । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ଘୂର୍ଣ୍ଣିଝଡ । ପୁରୀ ଠାରୁ ୧୦୨୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବ ରେ କେନ୍ଦ୍ରୀଭୂତ ହେଉଛି । ବିଶାଖାପାଟଣାଠାରୁ ୯୭୦ କିମି ଦକ୍ଷିଣ ପୂର୍ବ ଦିଗରେ ରହିଛି । ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ରିକର୍ଭ କରିବା ପରେ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ସେତେବେଳକୁ ଉପକୂଳରୁ ଦେଢ଼ ଶହରୁ ୨୦୦ କିଲୋମିଟର ଦୂରରେ ଥିବ ବାତ୍ୟାର କେନ୍ଦ୍ର ସ୍ଥଳ । ସ୍ଥଳଭାଗ ନଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା ।
ଓଡ଼ିଶାକୁ ଯେଉଁ ବାତ୍ୟା ଭୟ ଥିଲା, ବର୍ତମାନର ପୂର୍ବାନୁମାନ ଅନୁସାରେ ସେହି ଭୟ ଟଳିଯାଇଛି । ତେବେ ଏହାର ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳ ରେ ଆରମ୍ଭ ହେବ ବର୍ଷା । କିଛି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ ।