ମୁଖ୍ୟମନ୍ତ୍ରୀଙ୍କୁ ‘ଭାଇ’ ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ; କହିଲେ, ‘ରାଖି ପାଉଣା ମାଗିବା ପୂର୍ବରୁ ସମର୍ଥନ ଦେଇ ଦେଲେ ଉପହାର’

0
356
draupadi-murmu-in odisha

ଭୁବନେଶ୍ୱର: ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଲୋଡ଼ି ଓଡ଼ିଶା ଆସିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ନବୀନଙ୍କୁ ରାଖି ବାନ୍ଧିଥିଲି। ରାଖିର ପାଉଣା ମାଗିବା ପୂର୍ବରୁ ସେ ମୋତେ ସମର୍ଥନ ଦେଇଛନ୍ତି। ବିଦେଶରେ ଥାଇ ବି ମୋତେ ଫୋନ୍ କରିଥିଲେ। କହିଛନ୍ତି, ମୁଁ ଗାଁର ଝିଅ, ମନ୍ତ୍ରୀ ଥିଲି ବହୁ କାମ କରିଛି। ଆହୁରି କାମ ବାକି ଅଛି, ଏବେ ଆପଣଙ୍କ ସହଯୋଗ ଦରକାର।

ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିବା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ଲାଗି ବି ଚେଷ୍ଟା କରାଯିବ ବୋଲି କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି ।

ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେଡି ଓ ବିଜେପି ଦଳର ବହୁ ନେତା ଓ ସାଂସଦ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପାରମ୍ପରିକ ଆଦିବାସୀ ନୃତ୍ୟ ଓ ସଂଗୀତ ମାଧ୍ୟରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଦ୍ରୌପଦୀଙ୍କୁ ପାଛୋଟି ଆଣିବାକୁ ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନ ଯାଇ ସେଠାରେ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ଭେଟି ଆଲୋଚନା କରିଥିଲେ। ବିଧାନସଭାରୁ ସେ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଅଭିମୂଖେ ଯାତ୍ରା କରିବେ।

Also Read  Mini-Truck Overturns in Balangir, No Causalities