ନୂଆଦିଲ୍ଲୀ : ଗୌତମ ଆଦାନୀ ଏବେ କେବଳ ଭାରତ ନୁହେଁ କିମ୍ବା ଏସିୟାର ଧନୀ ହୋଇ ରହିନାହାନ୍ତି । ବିଶ୍ବର ସବୁଠାରୁ ଧନୀ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛନ୍ତି ଗୌତମ ଆଦାନୀ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ଏବେ ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ଙ୍କ ସମ୍ପତ୍ତି ସହ ସମକକ୍ଷ ହୋଇଯାଇଛି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀ ଏବଂ ବିଲ୍ ଗେଟସ୍ ଉଭୟଙ୍କ ସମ୍ପତ୍ତି ପରିମାଣ ଏବେ ୧୨୫ ଅରବ୍ ଡଲାର ରହିଛି । ଅର୍ଥାତ୍ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ଭାରତୀୟ ମୁଦ୍ରାରେ ଏବେ ୯ ଲକ୍ଷ ୫୭ହଜାର ୧୮୨ କୋଟି ଟଙ୍କା ହୋଇଯାଇଛି ।
ଆଦାନୀ ଏବେ ଭାରତୀର ଅନ୍ୟତମ ଧନୀ ମୁକେଶ ଅମ୍ବାନୀ, ଓ୍ବର୍କଶାୟର୍ ହାଥ୍ଓ୍ବେ ପ୍ରତିଷ୍ଠାତା ଓ୍ବାରେନ୍ ବଫେଟ୍, ଗୁଗଲର ସହ-ପ୍ରତିଷ୍ଠାତା ଲ୍ୟାରୀ ପେଜ୍ ଏବଂ ସର୍ଜେ ବ୍ରିନ୍ଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଫୋବର୍ସ ରିୟଲ ଟାଇମ୍ ବିଲେନିୟର ଇଣ୍ଡେକ୍ସ ହିସାବରେ ଗୌତମ ଆଦାନୀ ବିଶ୍ବ ଧନୀ ତାଲିକାର ୫ମ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟରେ ସେ ବିଲ୍ ଗେଟସ୍ଙ୍କ ଠାରୁ ମାତ୍ର କିଛି ଦୂରରେ ରହିଛନ୍ତି । ଆଦାନୀଙ୍କ ସମ୍ପତ୍ତି ପରିମାଣ ବର୍ତ୍ତମାନ ୧୨୯ ବିଲିୟନ ଡଲାର ରହିଥିବା ବେଳେ ବିଲ୍ ଗେଟସ୍ଙ୍କ ସମ୍ପତ୍ତି ପରିମାଣ ୧୨୯.୪ ବିଲିୟନ ଡଲାର ରହିଛି । ଗୋଟିଏ ଦିନରେ ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ୬.୩ ବିଲିୟନ ଡଲାର ବୃଦ୍ଧି ପାଇଛି ।
କେବଳ ୨୦୨୨ ମସିହାରେ ଆଦାନୀଙ୍କ ସମ୍ପତ୍ତି ପରିମାଣ ୪୮.୩ ବିଲିୟନ ଡଲାର ବୃଦ୍ଧି ଘଟିସାରିଲାଣି । ଅନ୍ୟପଟେ ଆଦାନୀ ସମୂହଙ୍କ ସେୟାର ମୂଲ୍ୟ ମଧ୍ୟ ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଗତ କିଛିଦିନ ହେଲା ଆଦାନୀ ପାଓ୍ବାର ଏବଂ ଆଦାନୀ ଓ୍ବିଲମାର୍ ଉଭୟ ସେୟାର ଲଗାତାର ଭାବେ ବୃଦ୍ଧି ପାଉଛି । ବିଶ୍ବ ଧନୀ ତାଲିକାରେ ଏଲନ୍ ମସ୍କ ସବୁଠାରୁ ଆଗରେ ରହିଥିବା ବେଳେ ଦ୍ବିତୀୟରେ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ତୃତୀୟରେ ଓ୍ବର୍ଣ୍ଣାଡ୍ ଅର୍ନଲଟ୍ ଏବଂ ତାଙ୍କ ପଛକୁ ଚତୁର୍ଥରେ ରହିଛନ୍ତି ବିଲ୍ ଗେଟସ୍ । ବିଲଙ୍କ ପରେ ପଞ୍ଚମରେ ରହିଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ । ଧନୀ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ।