ଦିନକୁ ୧୦ଘଣ୍ଟା ଚାଲିବ ପାକିସ୍ତାନରେ ସରକାରୀ କାର୍ଯ୍ୟାଳୟ

0
436

ଇସଲାମାବାଦ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଦେଶର ଅର୍ଥନୀତିକୁ ସୁଧାରିବା ଲାଗି ପଦକ୍ଷେପ ନେଇଛନ୍ତି। ପ୍ରଥମ ନିଷ୍ପତ୍ତି କ୍ରମେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଦୈନିକ ୧୦ଘଣ୍ଟା ଚାଲିବାକୁ ନିର୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀମାନେ ସକାଳ ୧୦ଟାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ସେହିପରି ସପ୍ତାହିକ ୨ଦିନ ଛୁଟି ପରିବର୍ତ୍ତେ ଗୋଟିଏ ଦିନ ଛୁଟି ମିଳିବ। ଅନ୍ୟପଟେ ଶପଥ ଗ୍ରହଣର ଦିନକ ପରେ ସେହବାଜ ତାଙ୍କ କ୍ୟାବିନେଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ପାକିସ୍ତାନ ମୁସଲିମ୍ ଲିଗ-ନୱାଜ (ପିଏମ୍‌ଏଲ୍‌-ଏନ୍‌) ନେତୃତ୍ବ ସରକାରକୁ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସମର୍ଥନ କରୁଛି। ତେଣୁ ନୂଆ ସରକାରରେ ବିଲାୱାଲକୁ ବୈଦେଶିକ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ବୈଦେଶିକ ମନ୍ତ୍ରଣାଳୟ ସମେତ ପିପିପିକୁ ଆଉ ୬ଟି ମନ୍ତ୍ରଣାଳୟ ମିଳିବାର ଅଛି। ଏହା ସହିତ ପିଏମ୍‌ଏଲ୍‌-ଏନ୍‌ ନେତା ରାଣା ସାନାଉଲ୍ଲାଙ୍କୁ ଆଭ୍ୟନ୍ତରୀଣ ବ୍ୟାପାର ଓ ମରିୟମ ଔରଙ୍ଗଜେବ୍‌ଙ୍କୁ ସୂଚନା ପ୍ରସାରଣ ମନ୍ତ୍ରୀ ହେବେ।

୨୦୧୭ରେ ବୈଦେଶିକ ମନ୍ତ୍ରୀ ଥିବା ଖାୱାଜା ମହମ୍ମଦ ଆସିଫଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦିଆଯିବ। ମିଫତା ଇସମାଇଲ୍‌ଙ୍କୁ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ମିଳିବ। ସୋମବାର ସେହବାଜ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଭାରତ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ନୂଆ ପ୍ରଧାନମନ୍ତ୍ରୀ ଭାବେ ସେହବାଜଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିଲେ। ମୋଦୀଙ୍କ ଅଭିନନ୍ଦନ ପାଇଁ ସେହବାଜ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Also Read  ରୋମରେ ପହଁଚିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତର ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ