ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅପରେସନ ପାଇଁ ଡାକ୍ତର ଟଙ୍କା ମାଗିବା ଘଟଣାର ହେବ ତଦନ୍ତ

0
107

କୋରାପୁଟ: ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରେନ୍ସ ଆପଣାଇ ଥିବାବେଳେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅପରେସନ ପାଇଁ ଡାକ୍ତର ଟଙ୍କା ମାଗିବା ଘଟଣା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି। ସଡ଼କ ଦୁର୍ଘଟଣାରେ ଆହତ ହୋଇ ମାଲକାନଗିରି ଜିଲ୍ଲା ଚମ୍ପାଖାରି ଗ୍ରାମର ବିଶ୍ୱଜିତ ଭୂମିଆ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ମୁଣ୍ଡ ଅପରେସନ ନିମନ୍ତେ ଡାକ୍ତର ପଙ୍କଜ ସ୍ୱର୍ଣ୍ଣକାର ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ବିଷୟ ରୋଗୀଙ୍କ ସମ୍ପର୍କୀୟ ଭାଇ ହରି ମାଡକାମୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ବିଶ୍ୱଜିତ ଭୂମିଆ ଗତ ୧୧ ତାରିଖ ଦିନ ସାଇକଲରୁ ଖସି ପଡ଼ିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବିଶ୍ୱଜିତକୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ମୁଣ୍ଡର ସିଟି ସ୍କାନ୍ କରିବା ସହ ଅଧିକ ଚିକିତ୍ସା ନିମନ୍ତେ ବିଶ୍ୱଜିତଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ବିଶ୍ୱଜିତଙ୍କୁ ୨୧ତାରିଖରେ କୋରାପୁଟ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସିଟିସ୍କାନ୍ ପରେ ମେଡିକାଲ କଲେଜର ଡାକ୍ତର ପଙ୍କଜ ସ୍ୱର୍ଣ୍ଣକାର ଭାଇକୁ ଲଣ୍ଡା କରିଥିଲେ ଓ ଅପରେସନ ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ ଦେବାକୁ ପଡ଼ିବ କହିଥିଲେ। ତେବେ ସେମାନେ ଅତି ଗରିବ ଶ୍ରେଣୀର ଓ ଦିନ ମଜୁରିଆ ଭାବେ କାମ କରି ଜୀବନ ନିର୍ବାହ କରୁଥିବାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ହରି ମାଡକାମୀ ଚିନ୍ତାରେ ପଡିଥିଲେ। ସମ୍ପର୍କୀୟ ଭାଇ ହରି ମାଡକାମୀ ଶେଷରେ ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇବା ସହ ହସ୍ପିଟାଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ହସ୍ପିଟାଲ୍ ଅଧୀକ୍ଷକ ପ୍ରଫେସର ସୀତାରାମ ମହାପାତ୍ରଙ୍କ ଅନୁପସ୍ଥିତିରେ ଅଭିଯୋଗ ପତ୍ର ହସ୍ପିଟାଲର ପ୍ରଶାସନିକ ଅଧିକାରୀ ମଧୁସ୍ମିତା ନାୟକ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଟଙ୍କା ମାଗିବା ଘଟଣା ସମ୍ପର୍କରେ ରୋଗୀର ସମ୍ପର୍କୀୟ ଓ ସମାଜସେବୀ ଟି କିରଣ କୁମାର ଓ ପୂର୍ବତନ ମାଲକାନଗିରି ବିଧାୟକ ନିମାଇଁ ସରକାର ରୋଗୀଙ୍କୁ ମିଶି ଆଶ୍ୱାସନା ଦେବା ସହ ମଧୁସ୍ମିତା ନାୟକଙ୍କୁ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସହ ତୁରନ୍ତ ଚିକିଚା ଯୋଗାଇବା ସହ ଅପରେସନ ପାଇଁ ଦାବି କରିଥିଲେ।

ଘଟଣା ସମ୍ପର୍କରେ ଆମେ ଫୋନ ଯୋଗେ ହସ୍ପିଟାଲର ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଅଭିଯୋଗକୁ ନେଇ ଏକ କମିଟି ଗଠନ କରାଯାଇଛି। ଏନେଇ ତଦନ୍ତ ହେବ ଏବଂ ରୋଗୀକୁ ଟ୍ରିଟମେଂଟରେ କୌଣସି ଅବହେଳା କରାଯିବ ନାହିଁ ଵୋଲି ବି ସେ କହିଛନ୍ତି। ଅନ୍ୟପଟେ ଡାକ୍ତରଙ୍କ ମତାମତ ମିଳିପାରିନାହିଁ।

Also Read  ପଞ୍ଚାୟତ ନିର୍ବାଚନ: କାଲିଠୁ ଆରମ୍ଭ ହେବ ନାମାଙ୍କନ

LEAVE A REPLY

Please enter your comment!
Please enter your name here