ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ପରାଜୟ ପରେ ରୁଟଙ୍କ ଉପରେ ପଦ ଛାଡିବା ପାଇଁ ଚାପ ରହିଥିଲା | ଅଷ୍ଟ୍ରେଲିଆ ବିପକ୍ଷରେ ଆସେସ ସିରିଜରେ ୪-୦ରେ ହାରିବା ପରେ ୱେଷ୍ଟଇଣ୍ଡିଜ ନିକଟରୁ ମଧ୍ୟ ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୧-୦ରେ ହାରିଥିଲା। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(ଡବ୍ଲୁଟିସି) ପଏଣ୍ଟ ଟେବୁଲରେ ଇଂଲଣ୍ଡ ଦଶମ ସ୍ଥାନରେ ରହିଛି। ଡବ୍ଲୁଟିସରେ ଏପର୍ଯ୍ୟନ୍ତ ଖେଳିଥିବା ୧୩ଟି ମ୍ୟାଚ ମଧ୍ୟରୁ ଇଂଲଣ୍ଡ କେବଳ ଗୋଟିଏ ମ୍ୟାଚ୍ ଜିତିଛି |
ରୁଟ୍ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଟୁଇଟ୍ କରି ସୂଚନା ଦେଇଛି। ତେବେ ୩୧ ବର୍ଷୀୟ ରୁଟ୍ ୨୦୧୭ ମସିହାରେ ଆଲିଷ୍ଟର କୁକଙ୍କ ପରେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ ।
ରୁଟ୍ ଇଂଲଣ୍ଡର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ । ତାଙ୍କ ନେତୃତ୍ବରେ ଇଂଲଣ୍ଡ ୨୭ଟି ଟେଷ୍ଟ ମ୍ୟାଚ୍ ଜିତିଥିଲା | ୨୦୧୭ ରେ ସାର୍ ଆଲାଷ୍ଟାୟର୍ କୁକଙ୍କ ଉତ୍ତରାଧିକାରୀ ଭାବରେ ନିଯୁକ୍ତ ହେବା ପରେ, ରୁଟ୍ ଦଳକୁ ଅନେକ ସ୍ମରଣୀୟ ସିରିଜ୍ ବିଜୟରେ ନେତୃତ୍ୱ ନେଇଥିଲେ । ତନ୍ମଧ୍ୟରୁ ୨୦୧୮ରେ ଭାରତ ଉପରେ ୪-୧ ଘରୋଇ ସିରିଜ୍ ବିଜୟ ଏବଂ ୨୦୨୦ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୧ ବିଜୟ ରହିଛି ।
ସୂଚନାଯୋଗ୍ୟ ଯେ, ଗତ ୫ବର୍ଷ ଧରି ରୁଟ୍ ଇଂଲଣ୍ଡ ଦଳର ଅଧିନାୟକ ରହିଥିଲେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ମୋଟ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହା ଭିତରୁ ସେ ୨୭ଟିରେ ବିଜୟୀ ହୋଇଥିବାବେଳେ, ୨୬ଟିରେ ପରାଜିତ ହୋଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଗତ ୧୭ଟି ଟେଷ୍ଟ ମ୍ୟାଚରୁ ସେ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇପାରିଥିଲେ । ଯେଉଁ କାରଣରୁ ଅଧିନାୟକ ପଦ ଛାଡିବା ନେଇ ତାଙ୍କ ଉପରେ ଚାପ ରହିଥିଲା ।