ଭୁବନେଶ୍ୱର: ଏପ୍ରିଲ ୨୭: ପ୍ରତ୍ୟେକ ବର୍ଷ ପରି, KIIT ପରିସରରେ KIIT ସ୍କୁଲ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏହାର Annual Graduate Fashion Show ‘କୀର୍ତ୍ତି କଳ୍ପନା ୨୦୨୫’ ଆୟୋଜିତ ହେଇଯାଇଛି I
KIIT ର ଏହି ୪ ବର୍ଷିଆ ପାଠ୍ୟକ୍ରମରେ ସୃଜନଶୀଳତା, କାରିଗରୀ ଏବଂ ଫ୍ୟାଶନ୍ ଏବଂ ଟେକ୍ସଟାଇଲ୍ ଡିଜାଇନ୍ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ ଯାହା ଏହିଠାରେ ହିଁ ପ୍ରଦର୍ଶିତ ହୁଏ ଏବଂ ଏହି ମୁହୂର୍ତ୍ତକୁ ଅନୁଷ୍ଠାନ ର ଛାତ୍ରଛାତ୍ରୀ ବହୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ଓ ବହୁ ଧୂମଧାମରେ ପାଳନ କରନ୍ତି ମଧ୍ୟ I
ସବୁ ଥର ପରି ଏଥର ମଧ୍ୟ, ଏହି ଫେସନ୍ ଶୋ’ରେ ୨୦୨୫ ପାସ୍ଆଉଟ୍ ବ୍ୟାଚର ଛାତ୍ରଛାତ୍ରୀମାନେ ସେମାନଙ୍କ ପରିକଳ୍ପନା ଓ ସର୍ଜନାର ପରିପ୍ରକାଶ କରିଥିଲେ । ବିଭିନ୍ନ ପାରମ୍ପାରିକ ଓ ଆଧୁନିକ ଫେସନ୍କୁ ନେଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଡ଼ିଜାନର ପୋଷାକରେ ମଡ଼େଲମାନଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ବିଭିନ୍ନ ପରମ୍ପରା,କଳାର ଝଲକ ରହିଥିଲା ।
ଏହି ଅବସରରେ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଫେସନ୍ ଡ଼ିଜାଇନ୍ ଉପରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
ପାସ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ KIIT ଏବଂ KISS ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ କହିଥିଲେ, ‘ଭାରତ ସମେତ ସମଗ୍ର ବିଶ୍ୱରେ କିଟ୍ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଥିପାଇଁ କିଟ୍ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କର ବିଭିନ୍ନ କ୍ଷେତ୍ରରେ ଗ୍ରହଣୀୟତା ମଧ୍ୟ ରହିଆସିଛି । କିଟ୍ ଫେସନ୍ ଟେକ୍ନୋଲୋଜିର ପାସ୍ଆଉଟ୍ ଛାତ୍ରଛାତ୍ରୀମାନେ ଫେସନ୍ ଏବଂ ଟେକ୍ସଟାଇଲ୍ ଟେକ୍ନୋଲୋଜି ଏବଂ ଡ଼ିଜାଇନ୍ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ସୃଜନଶୀଳତା ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।’
ସେ ଛାତ୍ରଛାତ୍ରୀ ପରାମର୍ଶ ଦେଇ କହିଥିଲେ, ‘ ନିଜର ପେଶାରେ ଓ କର୍ମ କ୍ଷେତ୍ରରେ, ତମେ ଜୀବନରେ ଯେଉଁଠି ବି ଥାଅ ବା ଯେତେ ଉନ୍ନତି କର, ସବୁବେଳେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କର I ‘
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଓ ଧାରବାହିକରେ ସୁନାମ ଅର୍ଜନ କରିଥିବା ତାରକା ସୂର୍ଯ୍ୟମୟୀ ମହାପାତ୍ର, ଲିକୁନ୍ ଚୌଧୁରୀ, ଦୀପନ୍ୱିତ୍ ଦାସମହାପାତ୍ର ଏବଂ ଦେବସ୍ମିତା ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ର ଉପନିର୍ଦ୍ଦେଶିକା ଜିପ୍ସିତା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲର ଡ଼ିନ୍ ପ୍ରଫେସର ବାଉରି ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।