ଭୁବନେଶ୍ବର: ଲେମ୍ବୁ ଦରରେ ଲାଗିଛି ନିଆଁ । କାନ ଉଠିଲା ଦିନୁ କେବେ ଶୁଣା ଯାଇନଥିଲା ବଜାରରେ ଲେମ୍ବୁର ଏଭଳି ଦର । ଆକାଶଛୁଆଁ ଦରରେ ବିକ୍ରି ହେଉଛି ଗୋଟିଏ ଗୋଟିଏ ଲେମ୍ବୁ । ସେଓ , ଆମ୍ବ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। ଛୋଟିଆ ଲେମ୍ବୁ ଗୋଟାକୁ ୬ଟଙ୍କା ଏବଂ ବଡ ଲେମ୍ବୁ ୮ରୁ ୧୦ ଟଙ୍କାରେ ବିକ୍ରି ହେଉଛି । ଦାମ ଶୁଣି ପଖାଳ କଂସାରୁ ଉଭାନ ହୋଇଯାଇଛି ଲେମ୍ବୁ।
ଦର ଶୁଣି ଏବେ ଗ୍ରାହକ ଲେମ୍ବୁ କିଣିବାକୁ ମଧ୍ୟ ଭୟ କରୁଛି । ସପ୍ତାହକ ତଳେ ବିଧାନସଭାରେ ରାଜ୍ୟର କୃଷିମନ୍ତ୍ରୀ ଓଡିଶା କୃଷି ଉତ୍ପାଦନ ନେଇ ରଖିଥିବା ଏହିଭଳି ଗୋଲାପୀ ଚିତ୍ରର ଅସଲ ମୁଖା ଖୋଲି ଦେଇଛି ବଜାରରେ ଲେମ୍ବୁଦର । ମନ୍ତ୍ରୀ କହିଥିଲେ ଓଡିଶା ଲେମ୍ବୁ ଉତ୍ପାଦନରେ ଆତ୍ମନିର୍ଭର ହୋଇସାରିଛି । ଆଉ ପଡୋଷୀ ଆନ୍ଧ୍ର କିମ୍ବା ତେଲେଙ୍ଗାନା ଉପରେ ଆମକୁ ନିର୍ଭର କରିବାକୁ ପଡୁନାହିଁ । ଏପରିକି ପଡୋଷୀ ରାଜ୍ୟକୁ ଲେମ୍ବୁ ରପ୍ତାନୀ କରାଯାଉଥିବା କଥା କହିଥିଲେ ମନ୍ତ୍ରୀ ।