ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଲଘୁଚାପ । ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ତେବେ ସମ୍ଭାବ୍ୟ ବାତ୍ୟା ନେଇ କିଛି ସମୟ ପରେ ଆସିବ ସ୍ପଷ୍ଟ ଚିତ୍ର । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଗତକାଲିର ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ସ୍ପଷ୍ଟ ହେବ ବାତ୍ୟା ଚିତ୍ର।
ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଗଂଜାମ, ଅନୁଗୁଳ, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ୪୦ରୁ ୫୦ କିଲୋମିଟର ବେଗରେ ବହୁଛି ପବନ । ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବର୍ଷାର ପରିମାଣ ବଢ଼ିବ । ଏହି ସମୟରେ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ ।