ନେହେରୁ, ନେତାଜୀ, ସବରକର୍‌ ଥିଲେ ଦେଶ ନିର୍ମାତା: ପ୍ରଧାନମନ୍ତ୍ରୀ ମୋଦୀ

0
322

ନୂଆଦିଲ୍ଲୀ: କର୍ତ୍ତବ୍ୟ ପଥରେ ଜୀବନ ଦେଇଥିବା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବାସାହେବ ଅମ୍ବେଦକର ଏବଂ ବୀର ସବରକର୍‌ଙ୍କ ପ୍ରତି ନାଗରିକମାନେ କୃତଜ୍ଞ ଏବଂ ସେମାନେ ଦେଶ ନିର୍ମାଣରେ ସହାୟକ ହୋଇଥିଲେ ବୋଲି ଆଜି ଲାଲ୍‌ କିଲାରୁ ଦେଶବାସୀଙ୍କୁ ଭାରତର ୭୬ତମ ସ୍ବାଧୀନତା ଦିବସ ଅବସରରେ ଉଦ୍‌ବୋଧନ ଦେବା ବ‌େଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଲାଲ୍‌ କିଲା ଉପରେ ଜାତୀୟ ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ବ୍ରିଟିସ୍‌ ଶାସନ ବିରୋଧରେ ସଂଗ୍ରାମ କରିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ, ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ୍‌, ଆଶଫକ୍ୟୁଲ୍ଲା ଖାଁ, ରାମପ୍ରସାଦ ବିସ୍‌ମିଲ୍‌ ଏବଂ ବ୍ରିଟିସ୍‌ ଶାସନର ମୂଳଦୁଆ ଦୋହଲାଇ ଦେଇଥିବା ଆମର ଅସଂଖ୍ୟ ବିପ୍ଳବୀମାନଙ୍କ ପ୍ରତି ଏ ଜାତି କୃତଜ୍ଞ। ସ‌େ କହିଛନ୍ତି, ସ୍ବାଧୀନତା ସଂଗ୍ରାମୀ ଓ ଦେଶ ନିର୍ମାତାଙ୍କ ଉଦ୍ଦେଶ୍ୟରେ ସ୍ବାଧୀନତା ଦିବସ ପାଳନ କରାଯାଉଛି କହି ସେ ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ୍‌ ନେହେରୁ, ସର୍ଦାର୍‌ ପଟେଲ, ଏସ୍‌.ପି. ମୁଖାର୍ଜୀ, ଲାଲ୍‌ ବାହାଦୁର ଶାସ୍ତ୍ରୀ, ଦୀନଦୟାଲ୍‌ ଉପାଧ୍ୟୟ, ଜେ.ପି. ନାରାୟଣ, ରାମମନୋହର ଲୋହିଆ, ବିନୋବା ଭାବେ, ନାନାଜୀ ଦେଶମୁଖ ଏବଂ ସୁବ୍ରମଣିୟମ୍‌ ଭାରତୀ ପ୍ରମୁଖଙ୍କୁ ସ୍ମରଣ କରିଥିଲେ।

ସ୍ବାଧୀନତା ସଂଗ୍ରାମରେ ଜନଜାତି ସମ୍ପ୍ରଦାୟର ଅବଦାନ ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ବିର୍ସା ମୁଣ୍ଡା, ସିଧୁ-କାହ୍ନୁ, ଆଲ୍ଲୁରି ସୀତାରାମ ରାଜୁ ଏବଂ ଗୋବିନ୍ଦ ଗୁରୁଙ୍କୁ ସ୍ମରଣ କରିଥିଲେ। ସେ କହିଲେ, ଉପରୋକ୍ତ ବ୍ୟକ୍ତିତ୍ବମାନେ ସ୍ବାଧୀନତା ସଂଗ୍ରାମର ଅଭିବ୍ୟକ୍ତି ହେବା ସହ ମାତୃଭୂମି ପାଇଁ ବଞ୍ଚିବା ଓ ମରିବା ନିମନ୍ତେ ଜନଜାତି ସମ୍ପ୍ରଦାୟଙ୍କୁ ପ୍ରେରିତ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ବାଧୀନତା ସଂଗ୍ରାମୀ ତଥା ମହର୍ଷି ଶ୍ରୀଅରବିନ୍ଦଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Also Read  ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ