ନ୍ୟୁୟର୍କରେ ଫୁଟିଲା ଗୁଳି, ୧୬ ଆହତ

0
372

ନ୍ୟୁୟର୍କ: ମଙ୍ଗଳବାର ଆମେରିକାର ନ୍ୟୁୟର୍କର ଏକ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବ୍ରୁକଲିନ୍ ଷ୍ଟେସନରେ ଏହି ଘଟଣା ଘଟିଛି । ଘଟଣା ପରେ ଯେତେବେଳେ ସେଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା ସେତେବେଳେ କିଛି ବିସ୍ଫୋରଣ ହୋଇନଥିବା ବୋମା ମଧ୍ୟ ମିଳିଥିଲା।

ପୋଲିସର ସୂଚନାନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣେ ନିର୍ମାଣ ଶ୍ରମିକ ପରି ପୋଷାକ ପିନ୍ଧିଥିଲେ। ବ୍ୟକ୍ତି ଜଣକ କିଛି ଛୋଟିଆ ବୋମା ନେଇ ଷ୍ଟେସନରେ ପ୍ରବେଶ କରିଥିଲେ। ତାଙ୍କ ହାତରେ ବନ୍ଧୁକ ମଧ୍ୟ ଥିଲା। ଏବେ ଏହି ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ଆତତାୟୀକୁ ଖୋଜା ଚାଲିଛି। ସିଏନଏନର ରିପୋର୍ଟ ଅନୁଯାୟୀ ୧୬ ଜଣ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଦେହରେ ଗୁଳି ବାଜିଛି । ବାକି ୮ ଜଣ ଧାଁ ଦୌଡ କରିବା ବେଳେ ଆହତ ହୋଇଛନ୍ତି।

ଆମେରିକାର ସମୟ ସକାଳ ପ୍ରାୟ ୮.୩୦ ସମୟରେ ଏହି ଗୁଳିକାଣ୍ଡ ଘଟିଛି। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଜଣେ ବ୍ୟକ୍ତି ନିର୍ମାଣ ଶ୍ରମିକଙ୍କ ପୋଷାକରେ ଦେଖାଦେଇଥିଲେ। ସେ ଟ୍ରେନ ନିକଟରେ ଏକ ବ୍ୟାଗ ଫିଙ୍ଗିଥିଲେ। ତାଙ୍କ ହାତରେ ବନ୍ଧୁକ ମଧ୍ୟ ଥିଲା। ଗୁଳିକାଣ୍ଡ ଘଟାଇବା ପରେ ସଂପୃକ୍ତ ବ୍ୟକ୍ତି ଲୁହବୁହା ଗ୍ୟାସ ଚଳାଇଥିଲେ । ସେ ଗ୍ୟାସ ମାସ୍କ ପିନ୍ଧିଥିବାରୁ ତାଙ୍କୁ ଚିହ୍ନିବା ସହଜ ନଥିଲା।

ଏହି ଗୁଳିକାଣ୍ଡ ଘଟଣା ପରେ ଏହି ଷ୍ଟେସନରୁ ସମସ୍ତ ଟ୍ରେନ୍ ସେବା ସ୍ଥଗିତ ରଖାଯାଇଥିଲା। ଟ୍ରେନ୍ ଯେଉଁଠାରେ ଥିଲା, ସେଠାରେ ଅଟକି ରହିଥିଲା। ନ୍ୟୁୟର୍କ ପୋଲିସର କମାଣ୍ଡୋ ଟିମ୍ ଷ୍ଟେସନରେ ପଶି ଛାନଭାନ କରିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ପ୍ରଥମେ ଆମେ ବୋମା ବିସ୍ଫୋରଣ ପରି ଶବ୍ଦ ଶୁଣିଥିଲୁ, ଏହାପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଆତତାୟୀର ଉଚ୍ଚତା ପ୍ରାୟ ୫ ଫୁଟ ୫ ଇଞ୍ଚ ହୋଇପାରେ।

Also Read  ପୁଣି ୧୪% କମ କରୋନା ଆକ୍ରାନ୍ତ ଚିହ୍ନଟ : ଆଉ ୧୦୫୯ ମୃତ୍ୟୁ

LEAVE A REPLY

Please enter your comment!
Please enter your name here