ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ TMC ରୁ ନିଲମ୍ବିତ ହେଲେ ପାର୍ଥ ଚାଟାର୍ଜୀ

0
356
partha-chatterjee-suspended-from-tmc

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ଉପରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଟିଏମସି ମୁଖିଆ ମମତା ବାନାର୍ଜୀ । ପାର୍ଥ ଚାଟାର୍ଜୀଙ୍କୁ ତୃଣମୂଳ କଂଗ୍ରେସରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ କ୍ୟାବିନେଟରୁ ହଟାଇ ଦେଇଥିଲେ । ଆଜି ସନ୍ଧ୍ୟାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଶୃଙ୍ଖଳା କମିଟିର ବୈଠକ ଡାକି ପାର୍ଥଙ୍କୁ ଦଳର ସବୁ ପଦରୁ ହଟାଇ ଦେଇଛନ୍ତି। ପାର୍ଥ ତୃଣମୂଳ କଂଗ୍ରେସର ମହାସଚିବ ପଦ ଦାୟିତ୍ୱରେ ଥିଲେ | ଗିରଫ ହେବାର ୫ ଦିନ ପରେ ଦଳ ତାଙ୍କ ବିରୋଧରେ ଏହି ଆକ୍ସନ ନେଇଛି ।

ଟିଏମସି ନେତା ଅଭିଷେକ ବାନାର୍ଜୀ ସୂଚନା ଦେଇ କହିଛନ୍ତି, ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ବାହାର କରଯାଇଛି। ତାଙ୍କୁ ମହାସଚିବ, ରାଷ୍ଟ୍ରୀୟ ଉପଧ୍ୟକ୍ଷ ଏବଂ ଅନ୍ୟ ତିନୋଟି ପଦରୁ ହଟାଯାଇଛି। ଅଭିଷେକ ବାନାର୍ଜୀ କହିଛନ୍ତି, ତଦନ୍ତ ଶେଷ ହେବା ଯାଏଁ ତାଙ୍କୁ ଦଳକୁ ନିଲମ୍ୱିତ କରାଯାଇଛି। ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ତାଙ୍କ ପାଇଁ ଦଳକୁ ଫେରିବା ରାସ୍ତା ବନ୍ଦ ହୋଇଯିବ।

ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଘରୁ ୫୦ କୋଟିରୁ ଉର୍ଦ୍ଧ୍ବ ନଗଦ ବିପୁଳ ସୁନା ଅଳଙ୍କାର ମିଳିବା ପରେ ପାର୍ଥ ଚାଟାର୍ଜୀଙ୍କୁ ହଟାଇବାକୁ ବିରୋଧୀ ଦାବି କରିଥିଲେ । ଏପରିକି ଟିଏମସି ଭିତରୁ ମଧ୍ୟ ପାର୍ଥଙ୍କୁ ବିଦା କରିବା ପାଇଁ ଦାବି ହୋଇଥିଲା ।

ପାର୍ଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ମମତା ବାନାର୍ଜୀ କହିଛନ୍ତି – ଏହା ଏକ ବଡ଼ ଷଡଯନ୍ତ୍ରର ଅଂଶ। କେବଳ ଗୋଟିଏ ମହିଳାଙ୍କ ଘରୁ ଟଙ୍କା ଜବତ କରାଯାଇଛି। ଭ୍ରଷ୍ଟାଚାର ପ୍ରସଙ୍ଗରେ ଟିଏମସି କଠୋର ଆଭିମୁଖ୍ୟ ଗ୍ରହଣ କରିଥାଏ । ତେଣୁ ପାର୍ଥଙ୍କୁ ହଟାଇ ଦିଆଯାଇଛି। ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ |

Also Read  ଓଡ଼ିଶା, ଆନ୍ଧ୍ର ଓ ବଙ୍ଗରେ ଏନଡିଆରଏଫ୍ ନିୟୋଜିତ ହେବେ