ଅଣସର ଘରେ ଚାଲିଛି ଗୁପ୍ତ ସେବା; ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଉପଚାର ପାଇଁ ଆଜି ଲାଗି ହେବ ଫୁଲୁରୀ ତେଲ

0
343
phuluri-oil will be served to sri-jagannath today

ପୁରୀ: ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି। ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି। ଅଣସର ଘରେ ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବକ। ଚାଲିଛି ଉପଚାର। ତେବେ ଶନିବାର ଅଣସରର ପଞ୍ଚମ ଦିବସ। ଏହିଦିନ ଠାକୁର ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରୀ, ଶ୍ରୀମୁଖରେ ଥିବା କନା ଆଦି କଢାଯାଇଛି। ଏହାକୁ ଶ୍ରୀଅଙ୍ଗ ଫିଟା ନୀତି କୁହାଯାଏ। ଶ୍ରୀମୁଖରୁ ଯେଉଁ କନା (ବିରୂପ) ବାହାରେ ତାକୁ ଅଲଗା ରଖାଯାଏ। ଏହି କନାକୁ ଅଣସର ଶୁଦ୍ଧସୁଆର ସେବକ ତ୍ରୟୋଦଶୀ ରାତିରେ ନେଇ କୋଇଲି ବୈକୁଣ୍ଠରେ ବିସର୍ଜନ କରିଥାନ୍ତି।

ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, ପାଟଡୋରୀକୁ ଦ୍ୱାଦଶୀରେ ରାଜପ୍ରସାଦ ଆକାରରେ ଶ୍ରୀନଅରକୁ ବିଜେ କରାଯାଏ। ଏହାକୁ ରାଜପ୍ରସାଦ ବିଜେ କୁହାଯାଏ। ମହାପ୍ରଭୁ କିପରି ସୁସ୍ଥ ହେବେ ସେଥିପାଇଁ ରବିବାର ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ପୂର୍ବ ପରମ୍ପରା ଅନୁଯାୟୀ, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏହି ଫୁଲୁରୀ ତେଲ ବଡ଼ଓଡିଆ ମଠ ଯୋଗାଇ ଦେବ। ରାଶି ତେଲରେ ବିଭିନ୍ନ ପ୍ରକାର ଚେର, ଔଷଧୀୟ ଫୁଲ ଆଦି ମିଶାଯାଇ ଗୋଟିଏ ବର୍ଷ ପୂର୍ବରୁ ମାଟିତଳେ ପୋତା ଯାଇଥାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିବେ।

Also Read  ରାୟଗଡ଼ାର ଗୋଟିଏ ବିଦ୍ୟାଳୟରୁ ଏକାଥରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ