କମିବ ଅତ୍ୟାବଶ୍ୟକ ଔଷଧ ଦର, ୧୫ଅଗଷ୍ଟରେ ହୋଇପାରେ ଘୋଷଣା

0
164

ନୂଆଦିଲ୍ଲୀ : କର୍କଟ, ମଧୁମେହ ଏବଂ ହୃଦରୋଗ ସମସ୍ୟା ସାମ୍ନା କରୁଥିବା ରୋଗୀଙ୍କୁ ଆଗାମୀ କିଛି ଦିନରେ ଆଶ୍ୱସ୍ତି ମିଳିବାକୁ ଯାଉଛି । ଏଭଳି ଅତ୍ୟାବଶ୍ୟକ ଔଷଧ ଦର କମାଇବା ଉପରେ ଏବେ ସରକାର ବିଚାର କରୁଛନ୍ତି । ୧୫ ଅଗଷ୍ଟରେ ଏ ସମ୍ପର୍କରେ ଘୋଷଣା ହେବ ବୋଲି କୁହାଯାଉଛି । ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଏ ସମ୍ପର୍କରେ କିଛି ପ୍ରସ୍ତାବ ଉପରେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମାତ୍ର ଚୂଡାନ୍ତ ନିଷ୍ପତ୍ତି ସମ୍ପର୍କରେ କେବେ ଘୋଷଣା ହେବ ସେ ନେଇ କିଛି ଏବେ ଯାଏ ଜଣାପଡିନାହିଁ ।

ଏବେ ଏଭଳି ରୋଗର ଚିକିତ୍ସା ବ୍ୟୟବହୁଳ । ସରକାର ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଏ ନେଇ ଲୋକଙ୍କୁ ଆଶ୍ୱସ୍ତି ଦେବା ଉପରେ ବିଚାର ବିମର୍ଷ ହୋଇଛି । ବିଶେଷ କରି ଔଷଧ ଦରକୁ ନିୟନ୍ତ୍ରିତ କରିବା ଲାଗି ସରକାରଙ୍କ ପ୍ରସ୍ତାବ ରହିଛି । ଅଧିକାରୀ ଜଣକ କହିଛନ୍ତି ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରି ହୁଏ ତେବେ ଅତ୍ୟାବଶ୍ୟକ ଔଷଧ ଦର ୭୦% ପର୍ଯ୍ୟନ୍ତ ଶସ୍ତା ହୋଇପାରେ । ସେହିଭଳି ଅତ୍ୟାବଶ୍ୟକ ଔଷଧ ତାଲିକାରେ ମଧ୍ୟ ପରିବର୍ତ୍ତନ କରିବା ଉପରେ ମଧ୍ୟ ସରକାର ଏବେ କାମ କରୁଛନ୍ତି ।

ଶେଷ ଥର ପାଇଁ ୨୦୧୫ରେ ଏହି ତାଲିକାରେ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ଯଦି ନୂଆ ତାଲିକା ଆସେ ତେବେ ଏଠାରେ ଏଭଳି ଔଷଧ ସାମିଲ ରହିବ ଯାହା ବ୍ୟାପକ ଭାବେ ବ୍ୟବହାର ହେଉଛି । ସେହିଭଳି ଅତ୍ୟାବଶ୍ୟକ ବର୍ଗରେ ମେଡିସିନର ହାଇ ମାର୍ଜିନ ଉପରେ ମଧ୍ୟ କ୍ୟାପ୍‌ ଲଗାଇବା ପାଇଁ ବିଚାର ମଧ୍ୟ କରାଯାଉଛି । ଏହି ଔଷଧଗୁଡିକ ରୋଗୀ ସାଧାରଣତଃ ଦୀର୍ଘଦିନ ଧରି ବ୍ୟବହାର କରିଥାନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭୀୟ ଏହି ପ୍ରସଙ୍ଗରେ କମ୍ପାନି ପ୍ରତିନିଧିଙ୍କ ସହ ଏକ ବୈଠକ କରିଥିଲେ ।

ଶିଳ୍ପ ପକ୍ଷରୁ ମିଳିଥିବା ସୂଚନା ମୁତାବକ, କେତେକ ଔଷଧ ଉପରେ ଏବେ ଟ୍ରେଡ ମାର୍ଜିନ ୧୦୦୦% ମଧ୍ୟ ଅଧିକ । ବର୍ତ୍ତମାନ ଡ୍ରଗ ରେଗୁଲେଟର ଏନ୍‌ପିପିଏ ୩୫୫ ଔଷଧର ମୂଲ୍ୟ ଉପରେ ସୀମା ନିର୍ଦ୍ଧାରଣ କରିଛନ୍ତି । ଏହି ଔଷଧ ସବୁ ଏନ୍‌ଏଲ୍‌ଇଏମ୍‌ରେ ସାମିଲ ରହିଛି । ଏ କ୍ଷେତ୍ରରେ ପାଇକାରୀ ବ୍ୟବସାୟୀଙ୍କ ଟ୍ରେଡ ମାର୍ଜିନ ୮% ଏବଂ ଖୁଚୁରା ବ୍ୟବସାୟୀଙ୍କ କ୍ଷେତ୍ରରେ ୧୬% ରହିଛି ।

Also Read  ପୁଣି ରିମାଣ୍ଡରେ ଯିବେ ନକଲି ଠକ ଡାକ୍ତର ଓ ତାଙ୍କ ଅସଲି ପତ୍ନୀ : ରମେଶ ସ୍ୱାଇଁ ଓ ପତ୍ନୀ

LEAVE A REPLY

Please enter your comment!
Please enter your name here