ରାହୁଲ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ପୁରୀ ଆସିବେ ପରିବାର, ସୂଚନା ଦେଲେ ବାପା

0
308

ଛତିଶଗଡ଼: ଦୀର୍ଘ ୧୦୫ ଘଣ୍ଟାର କଠିନ ପରିଶ୍ରମ ପରେ ୬୦ ଫୁଟ୍‌ ବୋରୱେଲ ଗାତରୁ ଉଦ୍ଧାର ହୋଇଛି ରାହୁଲ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଦିନ ରାହୁଲକୁ ଏହି ବୋରୱେଲ ଗାତରୁ ବାହାର କରିଛନ୍ତି ଏନ୍‌ଡିଆରଏଫ୍‌ ଟିମ୍‌। ପୁଅ ଉଦ୍ଧାର ହେବା ପରେ ତା’ ବାପା-ମା’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଧନ୍ୟବାଦ ଦେବା ସହ ଭଗବାନଙ୍କ ଦୟାରୁ ହିଁ ରାହୁଲ ପୁନଃ ଜୀବନ ପାଇଛି ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ପୁଅ ଭଲ ହୋଇଗଲେ ସେ ପୂରା ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସିବେ। ଜଗନ୍ନାଥଙ୍କ ଆଶୀର୍ବାଦ ନେବେ ଓ ପୁଅ ପାଇଁ ଆଶିଷ ଭିକ୍ଷା କରିବେ ବୋଲି କହିଛନ୍ତି ରାହୁଲଙ୍କ ବାପା।

ସୂଚନାଯୋଗ୍ୟ ଯେ ଉଦ୍ଧାର ହୋଇଥିବା ରାହୁଲଙ୍କର ପୁରୀ ସହ ସମ୍ପର୍କ ବହୁ ପୁରୁଣା। କିଛି ବର୍ଷ ତଳେ ରାହୁଲ ପରିବାର ସହ ପୁରୀ ଆସିଥିବା ବେଳେ ସମୁଦ୍ର କୂଳରେ ହଜି ଯାଇଥିଲେ। ସେତେବେଳେ ଜଗନ୍ନାଥଙ୍କ କୃପାରୁ ପୁଅକୁ ଫେରି ପାଇଥିଲେ ପରିବାର ଲୋକେ। ଅନ୍ୟପଟେ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମାରେ ହିଁ ରାହୁଲ ମରଣ ମୁହଁରୁ ଫେରି ଆସିଥିବାରୁ ଜଗନ୍ନାଥଙ୍କର ରାହୁଲ ଉପରେ କୃପା ଥିବା ପରିବାର ଲୋକେ କହିଛନ୍ତି।

ପ୍ରକାଶ ଯେ ଖେଳୁ ଥିବା ସମୟରେ ଛତିଶଗଡ଼ର ରାହୁଲ ସାହୁ ବୋରୱେଲ ଗାତ ଭିତରେ ଗଳି ପଡ଼ିଥିଲା। ଦୀର୍ଘ ୧୦୫ ଘଣ୍ଟାର ଅପରେସନ୍‌ ପରେ ତାକୁ ଉଦ୍ଧାର କରାଯାଇଛି। ଦୀର୍ଘ ୫ ଦିନ ଧରି ବୋରୱେଲରେ ଫସି ରହିବାରୁ ବାୟୁ ଚଳାଚଳରେ ଅସୁବିଧା ସମ୍ମୁଖୀନ ଯୋଗୁଁ ରାହୁଲ ଶରୀରରେ କିଛି ଇନ୍‌ଫେକସନ୍‌ ହୋଇଛି। ସାମାନ୍ୟ ଜ୍ୱର ହେଉଥିଲେ ବି ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାହୁଲଙ୍କ ପାଇଁ ଆଗାମୀ ୨ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି।

Also Read  4 women among 8 Maoists gunned down in Chhatisgarh