ପୁଣି ଚମକିଲେ ଟିମ୍‌ ଇଣ୍ଡିଆ ବୋଲର, ୨୬୦ ରନର ଟାର୍ଗେଟ ଦେଲା ଇଂଲଣ୍ଡ, ହାର୍ଦ୍ଦିଙ୍କୁ ୪ ୱିକେଟ

0
985

ନୂଆଦିଲ୍ଲୀ: ଶେଷ ଦିନିକିଆରେ ଭାରତକୁ ୨୬୦ ରନର ଟାର୍ଗେଟ ଦେଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫୯ ରନ ସ୍କୋର କରିଛି। ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ କରିଛନ୍ତି। ମୋଇନ ଅଲ୍ଲୀ ୩୪ ରନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୪ ଏବଂ ୟୁଜବେନ୍ଦ୍ର ଚହଲ ୩ ଓ୍ଵିକେଟ୍ ନେଇଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ଜିତିବା ଦଳ ଆଜି ସିରିଜ୍ ହାତେଇବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୨ ରନର ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଜୋନି ବେୟାରଷ୍ଟୋ(୦) ଖାତା ଖୋଲିବା ପୂର୍ବରୁ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ସେହି ସମାନ ସ୍କୋରରେ ଜୋ ରୁଟ୍(୦)ଙ୍କୁ ପାଭିଲିୟନ ପଠାଇଥିଲେ ସିରାଜ। ପରେ ଜାସନ ରୟ ଏବଂ ବେନ ଷ୍ଟୋକ୍ସ ତୃତୀୟ ଓ୍ଵିକେଟରେ ୫୪ ରନ ଯୋଡିଥିଲେ। ରୟ ଦ୍ରୁତ ବ୍ୟାଟିଂ କରି ୩୧ ବଲରୁ ୭ ଚୌକା ସହ ୪୧ ରନ କରି ହାର୍ଦ୍ଦିକଙ୍କ ବଲରେ ଆଉଟ୍ ହୋଇଥିଲେ।

ବେନ ଷ୍ଟୋକ୍ସ ୨୭ ରନରେ ଆଉଟ୍ ହୋଇଥିଲେ। ୭୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଇଂଲଣ୍ଡର ସ୍କୋରକୁ ଅଧିନାୟକ ବଟଲର ଏବଂ ମୋଇନ ଅଲ୍ଲୀ ଆଗେଇ ନେଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟରେ ୭୫ ରନ ଯୋଡି ଦଳ ସ୍ଥିତି ସୁଧାରିଥିଲେ। ରବୀନ୍ଦ୍ର ଜାଡେଜା ମୋଇନ ଅଲ୍ଲୀ(୩୪ ରନ)ଙ୍କୁ ଆଉଟ୍ କରି ଭାଗିଦାରୀ ଭାଙ୍ଗିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୬୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ ହେଁ ୬୬ ରନ ଦେଇଛନ୍ତି। ଜାଡେଜାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।

Also Read  ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ