ବିଜେପିରେ ଯୋଗ ଦେବାକୁ ଆପ୍ ନେତାଙ୍କ ଧାଡ଼ି ଲମ୍ବୁଛି

0
171

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍)ର ଉତ୍ତରାଖଣ୍ଡ ଶାଖା ସଭାପତି ଦୀପକ ବାଲି ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି। ପାର୍ବତ୍ୟ ରାଜ୍ୟରେ ସ୍ଥିତି ଜାହିର କରିବା ପାଇଁ ଉଦ୍ୟମ କରୁଥିବା ଆପ୍‌କୁ ଏହା ଏକ ଶକ୍ତ ଧକ୍କା ସଦୃଶ ହୋଇଛି। ତାଙ୍କୁ ଗତ ଏପ୍ରିଲ ମାସରେ ହିଁ ଦଳର ରାଜ୍ୟ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ଦଳ ଯେଉଁ ଢଙ୍ଗରେ କାମ କରୁଛି ସେଥିରେ ଅସନ୍ତୋଷ ପ୍ରକାଶ କରି ବାଲି ବିଜେପିରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଆପ୍‌ରେ ରହି ସ୍ବଚ୍ଛନ୍ଦ ଭାବେ କାମ କରିବା ସମ୍ଭବ ନୁହେଁ।

ଗତ ବିଧାନସଭା ନିର୍ବାଚନରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା କର୍ଣ୍ଣେଲ ଅଜୟ କୋଠିଆଳ (ଅବସରପ୍ରାପ୍ତ) ମେ ୧୮ରେ ଦଳ ତ୍ୟାଗ କରିଥିଲେ। ତା’ର ସପ୍ତାହକ ପରେ ମେ ୨୪ରେ ସେ ବିଜେପିରେ ଯୋଗ ଦେଇଥିଲେ। କୋଠିଆଳ ଓ ବାଲିଙ୍କ ଛଡ଼ା ବିଭିନ୍ନ ରାଜ୍ୟରେ ଆପ୍‌ର ଆହୁରି ଅନେକ ନେତା ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ବିରଳ ସଫଳତା ପରେ ଆପ୍‌ରୁ ଏପରି ଗଣପଳାୟନ ଆଶ୍ଚର୍ଯ୍ୟଜନକ। ଦିଲ୍ଲୀରେ ରାଜିନ୍ଦର ନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ପୂର୍ବରୁ ୮ ଜଣ ଆମ୍ ଆଦ୍‌ମୀ ନେତା ଜୁନ୍ ୧୧ରେ ବିଜେପିରେ ଯୋଗ ଦେଇଥିଲେ।

ସେମାନଙ୍କ ମଧ୍ୟରେ ଅଛନ୍ତି ଏଏପିର ରାଜିନ୍ଦର ନଗର ବିଧାନସଭା ମଣ୍ଡଳୀର ସାଙ୍ଗଠନିକ ସମ୍ପାଦକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମମତା କୋଚର, ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗଙ୍କ ବଡ଼ଭାଇ ବିନୋଦ ଗର୍ଗ ଓ ଦିଲ୍ଳୀ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ସଦସ୍ୟ ସୋନିଆ ସଚଦେବା। ଏପ୍ରିଲ ୮ ତାରିଖରେ ହିମାଚଳପ୍ରଦେଶର ଆପ୍ ଅଧ୍ୟକ୍ଷ ଅନୁପ କେଶରୀ ସାଙ୍ଗଠନିକ ସାଧାରଣ ସମ୍ପାଦକ ସତୀଶ ଠାକୁର ଓ ଉନା ଜିଳ୍ଲା ମୁଖ୍ୟ ଇକବାଲ ସିଂହଙ୍କ ସମେତ ବିଜେପିରେ ଯୋଗ ଦେଇଥିଲେ।

ଏହାର କିଛିଦିନ ପରେ ଆପ୍‌ର ରାଜ୍ୟ ମହିଳା ମୋର୍ଚ୍ଚା ମୁଖ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବିଜେପିରେ ଯୋଗ ଦେଇଥିଲେ। ଅନେକ ନେତା ଦଳ ଛାଡ଼ିବାରୁ ସେହି ମାସରେ ଅରବିନ୍ଦ କେଜ୍ରିୱାଲ ଦଳର ହିମାଚଳ ପ୍ରଦେଶ ଶାଖାକୁ ଭାଙ୍ଗିଦେଇଥିଲେ। ଏପ୍ରିଲ ମାସରେ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁଜରାଟ ଗସ୍ତ କରିବାର ଦିନକ ପରେ ରାଜ୍ୟର ପ୍ରାୟ ୧୫୦ ଜଣ କର୍ମୀ ଓ ନେତା ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମାର୍ଚ୍ଚ ମାସରେ ଗୁଜରାଟର ଅନେକ ଆପ୍ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ।

Also Read  ଚାକିରି ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ, ଠକ ଗିରଫ

LEAVE A REPLY

Please enter your comment!
Please enter your name here