ଇଡି ଚଢ଼ାଉ ଓ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ

0
320

ନୂଆଦିଲ୍ଲୀ: ସୋମବାର ଓ ମଙ୍ଗଳବାର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ସଂସଦ ସରଗରମ ରହିଥିଲା। ବିରୋଧୀ ଓ ଶାସକ ଦଳର ସାଂସଦମାନେ ନିଜ ନିଜର ମତ ରଖିଥିଲେ। ତେବେ ଏହି ଦୁଇ ଦିନ ଗୃହ କାର୍ଯ୍ୟ ସ୍ୱାଭାବିକ ରହିବା ପରେ ଆଜି ପୁଣି ଥରେ ଗୃହରେ ହାଙ୍ଗାମା କରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳର ସଦସ୍ୟମାନେ। ‘ନେସନାଲ ହେରାଲ୍ଡ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି)ର ଚଢ଼ାଉ, ଦରଦାମବୃଦ୍ଧି ଭଳି ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ଜୋର୍‌ଦାର ହଟ୍ଟଗୋଳ କରିଛନ୍ତି।

ଯେଉଁଥିପାଇଁ ଲୋକସଭାରେ ବାରମ୍ୱାର ଗୃହ ମୁଲତବି କରିବାକୁ ପଡ଼ିଥିଲା। ଗୋଟିଏ ଥର ମୁଲତବି ପରେ ପୁଣିଥରେ ମଧ୍ୟାନ ୧୨ ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପୂର୍ବ ଭଳି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିରୋଧୀ ସଦସ୍ୟମାନେ ନାରାବାଜୀ କରିଥିଲେ। ଏହାରି ଭିତରେ ଶକ୍ତି ମନ୍ତ୍ରୀ ଆରକେ ସିଂହ ‘ଶକ୍ତି ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୨’ ପାରିତ କରିଥିଲେ।

ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ‘ନେସନାଲ ହେରାଲ୍ଡ’ ପରିସରରେ ଇଡିର ଚଢ଼ାଉ ପ୍ରସଙ୍ଗ ଗୃହରେ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ବାଚସ୍ପତି ତାଙ୍କୁ ଅନୁମତି ଦେଇନଥିଲେ। ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ନିଜ ନିଜ ଆସନକୁ ଯିବାକୁ କହିବା ସହ ଶୂନ୍ୟ କାଳ ସ୍ୱାଭାବିକ କରିବାକୁ ଅନୁରୋଧ କରିଥିଲେ। ଏହାପରେ ପରେ ମଧ୍ୟ ହଟ୍ଟଗୋଳ ନଥମିବାରୁ ମଧ୍ୟାନ ୧୨ ଟା ୧୦ ରୁ ଅପରାହ୍ନ ୨ ଟା ଯାଏ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।

Also Read  ବ୍ରହ୍ମପୁର ଆଇଟିଆଇର ସଫଳତା : ୩ ଟନ୍‌ ଇ-ଆବର୍ଜନାରେ ରୋବୋଟ୍‌, ଏସିଆ ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲା