ଆଜି ବିଶ୍ବ କିଡ୍‌ନୀ ଦିବସ

0
414
ultrasound propulsion

ବିଶ୍ବ କିଡ୍‌ନୀ ଦିବସ ୨୦୦୬ରୁ ପାଳିତ ହୋଇଆସୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଡ୍‌ନୀ ରୋଗ ବିଷୟରେ ସଚେତନତା ସୃଷ୍ଟି। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ‘ବ୍ରିଜ୍ ଦ ନଲେଜ୍ ଗ୍ୟାପ୍ ଟୁ ବେଟର୍ କିଡ୍‌ନୀ କେୟାର୍’। ଅର୍ଥାତ୍ କିଡ୍‌ନୀର ଯତ୍ନ ବିଷୟରେ ଆମର ଅଜ୍ଞାନତା ଦୂର କରିବା। ଭାରତରେ ଲୋକଙ୍କ ଖାଦ୍ୟପେୟ ଓ ଜୀବନଶୈଳୀ ଅନେକ ପ୍ରକାରର। ଆବଶ୍ୟକତାଠାରୁ ଅଧିକା ଖାଇଲେ ଓ ତା’ ସହିତ ଜୀବନଶୈଳୀରେ ଅସନ୍ତୁଳନ ଥିଲେ ବିଭିନ୍ନ ରୋଗ ମାଡ଼ି ବସିଥାଏ, ଯେମିତିକି ଡାଇବେଟିସ୍‌, ବ୍ଲଡ୍‌ପ୍ରେସର, ମେଦବହୁଳତା ଇତ୍ୟାଦି।

ଭାରତରେ ବର୍ତ୍ତମାନ ପ୍ରାୟ ୧୭ ପ୍ରତିଶତ ଲୋକ ଡାଇବେଟିସରେ ଓ ୨୫ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ। ଏ ଦୁଇଟି ରୋଗ ହିଁ କିଡ୍‌ନୀ ରୋଗର ଆମନ୍ତ୍ରକ। ଉକ୍ତ ଦୁଇଟି ରୋଗଗ୍ରସ୍ତ ୬୦ ପ୍ରତିଶତ ବ୍ୟକ୍ତି କିଡ୍‌ନୀ ରୋଗରେ ପୀଡ଼ିତ ହୋଇଥାନ୍ତି। ବହୁ ସମୟରେ କିଛି କାରଣ ନ ଥାଇ ମଧ୍ୟ କିଡ୍‌ନୀରୋଗ ହୋଇଥାଏ। ତେବେ ଯାହାବି କାରଣ ଥାଉ ଠିକ୍‌ ଓ ଶୀଘ୍ର ନିଦାନ ତଥା ସଚେତନତା ବହୁ ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ପାରିବ। ବର୍ତ୍ତମାନ ପୃଥିବୀରେ ପ୍ରତି ୧୦ ଜଣରେ ଜଣେ ହେଉଛନ୍ତି କିଡ୍‌ନୀ ରୋଗୀ। ଭାରତରେ ଏହି ହାର ପ୍ରତି ୧୦ ଲକ୍ଷରେ ୧୦୦।

ବିଶ୍ବ କିଡ୍‌ନୀ ଦିବସର ସାଧାରଣ ଲକ୍ଷ୍ୟ ହେଲା : ୧) ଡାଇବେଟିସ୍, ବ୍ଲଡ୍‌ପ୍ରେସର, ମେଦବହୁଳତା, ନିଶାସେବନ ଭଳି ରୋଗ ଓ କୁଅଭ୍ୟାସ ଥିବା ଲୋକଙ୍କୁ ଚିହ୍ନଟ କରିବା, ଯାହା କିଡ୍‌ନୀକୁ ପ୍ରଭାବିତ କରିଥାଏ; ୨) ସେମାନଙ୍କ ଭିତରେ କିଡ୍‌ନୀ ରୋଗ ଅଛି କି ନାହିଁ ଚିହ୍ନଟ କରିବା; ୩) ଉପରୋକ୍ତ ରୋଗଗୁଡିକ ନ ହେବା ପାଇଁ ଯଥେଷ୍ଟ ପଦକ୍ଷେପ ନେବା; ୪) ଏହିସବୁ ବିଷୟରେ ଲୋକଙ୍କୁ ଶିକ୍ଷାଦେବା ଏବଂ ୫) କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ବିଷୟରେ ଲୋକଙ୍କୁ ସଚେିତନ କରିବା।

କିଡ୍‌ନୀ ରୋଗକୁ ଆମେ ଯଦି ଠିକ୍‌ ସମୟରେ ନ ଧରିବା କିମ୍ବା ଚିକିତ୍ସା ନ କରିବା ତେବେ ଏହା ଘାତକ ହୋଇପାରେ। ଆମ ସମାଜରେ ଏ ପର୍ଯ୍ୟନ୍ତ କିଡ୍‌ନୀ ରୋଗକୁ ବହୁତ କମ୍‌ ଲୋକ ବୁଝିଛନ୍ତି। ଏହି ରୋଗକୁ ଠିକ୍‌ ଭାବରେ ବୁଝିବା ଓ ତା’ର ଜଟିଳତା ବିଷୟରେ ଜାଣିବା ନିହାତି ଜରୁରୀ। ଅଧିକରୁ ଅଧିକ ଲୋକଙ୍କୁ ଏ ବିଷୟରେ ସାକ୍ଷର କରାଇବା ଏବଂ ନ ବୁଝିବା ଲୋକଙ୍କୁ ବୁଝାଇବା ଦରକାର। ଯଦି ଆମେ ବିଭିନ୍ନ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ରୋଗ ବିଷୟରେ ସଚେତନ କରିପାରିବା ତା’ହେଲେ ସେମାନେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ବୁଝେଇପାରିବେ।

Also Read  ଭାରତଠାରୁ ସହାୟତା ଆଶାରେ ରୁଷ

ସରକାରଙ୍କୁ ମଧ୍ୟ ଏଚବିଷୟରେ ଗଭୀର ଭାବରେ ସମ୍ପୃକ୍ତ ‌ହେବାକୁ ପଡ଼ିବ। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସରକାର ଯେମିତି ଡାଇବେଟିସ୍‌, କ୍ୟାନ୍ସର ଓ ହୃଦ୍‌ରୋଗକୁ ଅସଂକ୍ରମିତ ମହାମାରୀ ବୋଲି ଘୋଷଣା କରିସାରିଛନ୍ତି କିଡ୍‌ନୀ ରୋଗକୁ ମଧ୍ୟ ସେହିପରି କରିବାକୁ ପଡ଼ିବ। ଏହାର ନିବାରଣ ପାଇଁ ମୂଳରୁ ବିଭିନ୍ନ ଯୋଜନା କଲେ ଏହା ଏକ ଘାତକ ମହାମାରୀ ରୂପ ନେବାକୁ ଅଟକାଇ ଦିଆଯାଇପାରିବ।