ଅନ୍ଧ ବିଶ୍ବାସର କୁପରିଣତି: ସାପ କାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ନ ନେଇ ଗୁଣିଗାରେଡିର ସାହାରା ନେବାରୁ ଚାଲିଗଲା ୨ ଜୀବନ

0
306
Three More Deaths Due To Snakebite In Odisha
Three More Deaths Due To Snakebite In Odisha

ବଣାଇ: ଲୋକଙ୍କ ମନରୁ ଏବେବି ଯାଇନି କୁସଂସ୍କାର ଓ ଅନ୍ଧବିଶ୍ବାସ । ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ବିଷାକ୍ତ ସାପ କାମୁଡିବା ପରେ ରୋଗୀଙ୍କୁ ଡାକ୍ତରଖାନା ନ ନେଇ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବା ଆଶା ଆଜି ଦୁଇ ଜଣଙ୍କ ଜୀବନ ନେଇଛି । ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଜିଲ୍ଲାର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲୁହୁରାସାହିର ଜଣେ ବ୍ୟକ୍ତିଙ୍କୁ ରବିବାର ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା। ପରିବାର ଲୋକ ତାଙ୍କୁ ଡାକ୍ତରଖାନାକୁ ନ ନେଇ ପାଖ ଗାଁର ଏକ ଗୁଣିଆ ପାଖକୁ ନେଇଯାଇଥିଲେ। ସେଠାରେ ଗୁଣିଆ ଝଡ଼ାଫୁଙ୍କା କରିଥିଲା। ହେଲେ ବ୍ୟକ୍ତି ଜଣଙ୍କ ଭଲ ହୋଇ ନଥିଲେ। ପରେ ପରିବାର ଲୋକ ଅନ୍ୟ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ। ସେଠାରେ ମଧ୍ୟ ବ୍ୟକ୍ତି ଜଣଙ୍କ ଭଲ ହୋଇନଥିଲେ। ତଥାପି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇ ନଥିଲେ। ଆଉ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ରବିବାର ରାତିରେ ଚାନ୍ଦିପୋଷ ଥାନାର ତାମଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡ଼ିଥିଲା। ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନ ନେଇ ଝଡ଼ାଫୁଙ୍କା କରିବା ପାଇଁ ଗୁଣିଆ ପାଖକୁ ନେଇଯାଇଥିଲେ। ହେଲେ ଶିକ୍ଷୟିତ୍ରୀ ଜଣଙ୍କ ସୁସ୍ଥ ନ ହେବାରୁ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଯାଉଛନ୍ତି କି ? ତେବେ ଜାଣିରଖନ୍ତୁ କେଉଁଠି ପାର୍କିଂ କରିବେ ଆପଣଙ୍କ ଗାଡ଼ି...