ସିନ୍ଦେଙ୍କ ଉପରେ ବର୍ଷିଲେ ଉଦ୍ଧବ, କହିଲେ; ନିଜ ବାପାଙ୍କ ଫଟୋ ଦେଖାଇ ଭୋଟ ମାଗ

0
428

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ଶିବସେନା ମୁଖ୍ୟ ତଥ‌ା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ମୁଖପତ୍ର ‘ସାମନା’କୁ ଏକ ସାକ୍ଷାତକାର ଦେଇଛନ୍ତି। ମହାରାଷ୍ଟ୍ରରେ ଉଦ୍ଧବ ସରକାର କାହିଁକି କ୍ଷମତାଚ୍ୟୁତ ହେଲା? ଏବଂ ଉଦ୍ଧବ ଠାକରେଙ୍କ ଶିବସେନାର ଭବିଷ୍ୟତ କ’ଣ ହେବ? ସେ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଠାକରେ। ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆମ ସରକାର କ୍ଷମତାରୁ ହଟିଛି, ମୁଖ୍ୟମନ୍ତ୍ରୀ ପଦ ଚାଲିଯାଇଛି, ଏହା ମୋ ପାଇଁ ଦୁଃଖଦାୟକ ନୁହେଁ। କିନ୍ତୁ ମୋର ନିଜ ଲୋକେ ବିଶ୍ବାସଘାତକତା କରିବା ମୋତେ ଆଘାତ ଦେଇଛି। ଅପରେସନ୍ ପରେ ମୁଁ ଅସୁସ୍ଥ ଅବସ୍ଥାରେ ଥିବା ବେଳେ ମୋର ସରକାରକୁ ହଟାଇବାକୁ ଚେଷ୍ଟା କରାଯାଇଥିଲା ଏବଂ ଏଥିରେ ସେମାନେ ସଫଳ ହୋଇଛନ୍ତି।

ତାଙ୍କ କହିବା ମୁତାବକ, ସିନ୍ଦେ ଏକ ଏଭଳି ସନ୍ତାନ, ଯିଏ ରାଜନୀତିରେ ତାଙ୍କୁ ଜନ୍ମ ଦେଇଥିବା ଜନ୍ମଦାତାଙ୍କୁ ହିଁ ଖାଇଗଲେ। ଯେଉଁମାନେ ବିଶ୍ୱାସଘାତକତା କରିଛନ୍ତି, ଦଳ ଭାଙ୍ଗିଛନ୍ତି, ସେମାନେ ନିଜ ବାପାଙ୍କ ଫଟୋ ଲଗାଇ ଭୋଟ୍ ମାଗନ୍ତୁ। ଶିବସେନାର ବାପାଙ୍କ ଫଟୋ ରଖି ଭୋଟ ପାଇଁ ଭିକ ମାଗନ୍ତୁ ନାହିଁ। ଶିବସେନା ଏତେ ସବୁ ଦେବା ପରେ ଆମକୁ ଧୋକା ମିଳିଛି। ସେ ଆହୁରି କହିଛନ୍ତି ଯେ, ଶିବସେନା ଏକ ଗଛ ପରି, ଯାହାର ଷଢ଼ିଯାଇଥିବା ପତ୍ର ଝଡ଼ିବାରେ ଲାଗିଛନ୍ତି। କିଛି ଦିନ ପରେ ନୂଆ ପତ୍ର ପୁଣି କଣଁଳିବ। ସେ କହିଛନ୍ତି ଯେ, ଶିବ ସୈନିକ୍ ଆମ ସହିତ ଅଛନ୍ତି ଏବଂ ସେମାନଙ୍କ ଆଶୀର୍ବାଦ ଆମକୁ ମିଳୁଛି।

Also Read  ଉତ୍ତେଜନା ଚରମରେ : ତାଇଓ୍ବାନ ଅଭିମୁଖେ ୧୩ଟି ଆମେରିକା ଲଢୁଆ ବିମାନ