ଭୁବନେଶ୍ୱର : ଅକ୍ଟୋବର ୪
ପୋଲିସ ଏସଆଇ ପରୀକ୍ଷା ସହିତ ଜଡିତ ଠକେଇ ନେଇ ଅନେକ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି I ଏହି ଠକେଇରେ ରାଜନେତା ଏବଂ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି I କଳା ତାଲିକାଭୁକ୍ତ ସଂଗଠନକୁ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ କରିବା ଓ ପରୀକ୍ଷା ପରିଚାଳନା କରିବାର ଦାୟିତ୍ୱ ଦିଆଯିବା ଘଟଣା ସାମ୍ନାକୁ ଆସିଛି I କ୍ରାଇମବ୍ରାଞ୍ଚ ବିଭିନ୍ନ ଦୃଷ୍ଟିକୋଣରୁ ଏହି ଠକେଇର ତଦନ୍ତ କରୁଛି। ଏ ପର୍ଯ୍ୟନ୍ତ, ଠକେଇରେ ସମ୍ପୃକ୍ତ ଅଭିଯୋଗରେ 114 ଜଣ ପରୀକ୍ଷାର୍ଥୀ ଏବଂ 3 ଜଣ ଦଲାଲଙ୍କୁ ଗିରଫ କରାଯାଇ ସାରିଛି, କିନ୍ତୁ ଏବେବି ଘଟଣାର ସୂତ୍ରଧର ଫେରାର ଅଛି ।
କ୍ରାଇମବ୍ରାଞ୍ଚ ଟିମ ସିଲିକନ୍ ଟେକ୍ ଲ୍ୟାବର ମାଲିକ ସମେତ ପାଞ୍ଚ ଜଣରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଛନ୍ତି ଏବଂ ସେମାନଙ୍କ ଠାରୁ ବହୁ ସୂଚନା ହାସଲ କରିଛି ବୋଲି କୁହାଯାଉଛି । ସେହିପରି, ଭୁବନେଶ୍ୱର ଓ ବ୍ରହ୍ମପୁର ରେ ଥିବା ପଞ୍ଚସଫ୍ଟ ର ଅଫିସ ଓ ଅନ୍ୟ କେତେକ ସ୍ଥାନରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ କରାଯାଇଛି I
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପୋଲିସ ଏସଆଇ ପରୀକ୍ଷା ପରିଚାଳନା ପାଇଁ ଚୁକ୍ତିନାମା କୋଲକାତାର ଏକ ଆଇଟିଆଇ ପ୍ରତିଷ୍ଠାନକୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଏହି ପ୍ରତିଷ୍ଠାନ ହାଇଦ୍ରାବାଦରେ ଅବସ୍ଥିତ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍ କୁ କାମ ହସ୍ତାନ୍ତର କରିଥିଲା। ସିଲିକନ୍ ଏହାକୁ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ କୁ ସବଲିଜ୍ ରେ ଦେଇଥିଲା। ପଞ୍ଚସଫ୍ଟ ଦାୟିତ୍ୱ ନେବା ପରେ, ଏହାର ନିର୍ଦ୍ଦେଶକ ଶଙ୍କର ଜାଲିଆତିର ସମ୍ପୂର୍ଣ ଯୋଜନା ତିଆରି କରିଥିଲେ ଏବଂ ଏହି ଯୋଜନାରେ ମୁନା ମହାନ୍ତିଙ୍କୁ ସାମିଲ କରିଥିଲେ ଏବଂ ତାଙ୍କୁ ପ୍ରାର୍ଥୀ ସଂଗ୍ରହ କରିବାକୁ ନିୟୋଜିତ କରିଥିଲେ I ମୁନା ପ୍ରାର୍ଥୀମାନଙ୍କ ସହିତ ଅନେକ ଉପାୟରେ ଯୋଗାଯୋଗ କରି ସେମାନଙ୍କର ସାର୍ଟିଫିକେଟ ହାସଲ କରିଥିଲେ ଏବଂ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ ।
ଏହି ଘଟଣା ବର୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି I ଏହି ଘଟଣାକୁ ନେଇ ବିରୋଧୀ ବିଜୁ ଜନତା ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ସରକାରଙ୍କ ପାରିବା ପଣିଆକୁ ପ୍ରଶ୍ନ କରିଛନ୍ତି I କିଛି ପୋଲିସ ଅଫିସରଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି I
























