ଓମିକ୍ରନର ପ୍ରଭାବ : ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ

0
552
ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ
ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ

ଭୁବନେଶ୍ୱର : କରୋନା ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଆଜି ଏହି ସୂଚନା ଦେଇଛନ୍ତି।

ଶ୍ରୀ ବେଉରିଆଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହରେ ବିମାନ ବନ୍ଦରରେ ଦୈନିକ ହାରାହାରି ୧୨ ହଜାର ଯାତ୍ରୀ ଯାତାୟାତ ହେଉଥିଲା। କିନ୍ତୁ ଏବେ ତାହା ୭ରୁ ୮ ହଜାରକୁ ଖସି ଆସିଛି। କରୋନା ପାଇଁ ବିମାନବନ୍ଦରରେ ସବୁ ପ୍ରକାରର ସତର୍କତା ପାଳନ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଯାତ୍ରୀଙ୍କ ଆର୍‌ଟି-ପିସିଆର୍ ଟେଷ୍ଟ୍ ପାଇଁ ସବୁ ସୁବିଧା ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରକୁ କୌଣସି ଆନ୍ତର୍ଜାତିକ ବିମାନ ଆସୁନି। ଏବେ ଏଠାକୁ ଦୈନିକ ୩୮ଟି ବିମାନ ଆସୁଛି ଓ ଏଠାରୁ ୩୮ଟି ବିମାନ ଯାଉଛି । ବିଏମ୍‌ସିର ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେଉଁ ଯାତ୍ରୀମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା କରିଥିବେ, ସେମାନଙ୍କର ଆଉ ଟେଷ୍ଟ ଦରକାର ନାହିଁ । ନହେଲେ ସେମାନେ ଆର୍‌ଟି-ପିସିଆର୍ ଟେଷ୍ଟ୍ କରାଇବାକୁ ବାଧ୍ୟ। ଡବଲ୍ ଡୋଜ୍ ଟିକା ନେଇଥିଲେ ବି ୭୨ ଘଣ୍ଟା ପୂର୍ବର ଆର୍‌ଟି-ପିସିଆର୍ ରିପୋର୍ଟ ନଥିଲେ, ଯାତ୍ରୀମାନଙ୍କର ଏଠାରେ କରୋନା ପରୀକ୍ଷା କରାଯିବ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ଏଯାବତ ମାତ୍ର ୬୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Also Read  Railways register 9 pc annual growth with 7,134 coaches manufactured in FY24-25