ଡରାଇଲାଣି ଓମିକ୍ରୋନ, ଡେଲ୍ଟା ଭାରିଆଣ୍ଟଠୁ ବି ଅଧିକ ଘାତକ : ସବୁ ଜିଲ୍ଲାପାଳଙ୍କୁ ସଜାଗ ପାଇଁ ନିର୍ଦ୍ଦେଶ

0
366
ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ
ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର : କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରୋନକୁ ନେଇ ଚାରିଆଡ଼େ ଭୟ ଦେଖା ଦେଇଛି। ଏହି ନୂଆ ଭାରିଆଣ୍ଟ କେତେ ମାରାତ୍ମକ, ତାହା କେହି ଜାଣିନାହାନ୍ତି । ଆଉ ଏହାରି ଭିତରେ ନୂଆ ଭାରିଆଣ୍ଟ ଓମିକ୍ରୋନକୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। କୁହାଯାଉଛି ଯେ ଓମିକ୍ରୋନ, ଡେଲ୍ଟା ଭାରିଆଣ୍ଟଠୁ ବି ଅଧିକ ଘାତକ। ତେଣୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଲର୍ଟ ରହିବାକୁ ଆଡଭାଇଜରୀ ଜାରି କରିଛନ୍ତି।

ସେହିପରି ଓଡ଼ିଶା ସରକାର ମଧ୍ୟ ନୂଆ ଭାରିଆଣ୍ଟକୁ ନେଇ ଆଡଭାଇଜରୀ ଜାରି କରିଛନ୍ତି। ଏହି ଭାରିଆଣ୍ଟକୁ ହୁଏତ କରୋନାର ତୃତୀୟ ଲହର କୁହାଯାଇପାରେ। ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ଏହି ନୂଆ ଭାରିଆଣ୍ଟ ପାଇଁ ପୂର୍ଣ୍ଣ ସଜାଗ ହେବାକୁ ଜିଲ୍ଲାପାଳ, ଏସପି ଓ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଭିସି ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟ ଶାସନ ସଚିବ।

ଏହି ଭିସି ଜରିଆରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ନେଇ ସଠିକ୍ ସୂଚନା ସଂଗ୍ରହ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯଦି କାହାରି ଭିତରେ କିଛି ଲକ୍ଷଣ ଦେଖା ଦିଏ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଘରକୁ ଘର ଅଭିଯାନ ମାଧ୍ୟମରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦେବା ସହ କୋଭିଡ ଗାଇଡ୍ ଲାଇନକୁ ପୂର୍ଣ୍ଣ ମାତ୍ରାରେ ମାନିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ କୋଭିଡ ମୃତକଙ୍କ ପରିବାରକୁ ସୁଗମ ଢଙ୍ଗରେ ସହାୟତା ରାଶି ପହଞ୍ଚାଇବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନୂଆ ଭାରିଆଣ୍ଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୂଆ ଗାଇଡଲାଇନ୍ ଜାରି କରିଛି। ଯେଉଁଥିଲେ ଉଲ୍ଲେଖ ହୋଇଛି ଯେ ବିଦେଶରୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ନୂଆ ଭୂତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି। ତେଣୁ ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ, ଟେଷ୍ଟିଂ ଓ ଜିନମ୍ ସିକ୍ୱେନ୍ସ ବାଧ୍ୟତାମୂଳକ ରହିବ। ତେବେ ସମସ୍ତେ କରୋନା କବଚ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସ୍ୱାସ୍ଥ୍ୟା ନିର୍ଦ୍ଦେଶକ କହିଛନ୍ତି ଯେ କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ। ଲୋକଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି।

Also Read  Cabinet committee reviews 28 projects in Odisha

ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୮ ହଜାର ୮୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୩୮ ହଜାର ୦୮୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨ ହଜାର ୩୩୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

 

LEAVE A REPLY

Please enter your comment!
Please enter your name here