କ୍ୱାଡ୍ ବୈଠକରେ ଆତଙ୍କବାଦ ନିପାତ ଉପରେ ଗୁରୁତ୍ବ ଦେଲେ ଆମେରିକା ସମେତ ତିନି ଦେଶ

0
109

ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜାପାନର ଟୋକିଓ ଠାରେ ଆୟୋଜିତ ଦ୍ୱିତୀୟ କ୍ୱାଡ୍ ନେତୃ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ବାଇଡେନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଯୋଗ ଦେଇଛନ୍ତି ।

କ୍ୱାଡ୍ ନେତୃବର୍ଗ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ସେମାନଙ୍କର ସହଭାଗୀ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପକୁ ଦୋହରାଇଛନ୍ତି ଏବଂ ଏହି କ୍ଷେତ୍ରରେ ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତାକୁ ନୀତିଗତ ଭାବେ ସୁରକ୍ଷିତ ରଖିବା ସହିତ ସମସ୍ତ ପ୍ରକାର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି କ୍ରମରେ ସେମାନେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିକାଶ ଯୋଜନା ଏବଂ ୟୁରୋପର ସମସ୍ତ ବିବାଦ ସଂପର୍କରେ ମଧ୍ୟ ନିଜ ନିଜ ମଧ୍ୟରେ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବିଶ୍ୱର ସମସ୍ତ ପ୍ରକାର ବୈରତା ନିରବଚ୍ଛିନ୍ନ ଭାବେ ତଥା ନୀତିଗତ ଭାବେ ସମାଧାନ କରାଯିବା ସକାଶେ ଭାରତ ସଦାବେଳେ ନିଜର ସ୍ପଷ୍ଟ ମତପୋଷଣ କରିଆସିଛି ଏବଂ ଏଥି ନିମନ୍ତେ କୂଟନୈତିକସ୍ତରରେ ଆଲୋଚନା ଜାରି ରଖାଯିବା ଉପରେ ମଧ୍ୟ ପ୍ରାଧାନ୍ୟ ଆରୋପ କରିଛନ୍ତି । କ୍ୱାଡ୍ ନେତୃବର୍ଗ ଏହି ଅବସରରେ ସମ୍ପ୍ରତି ଜାରି ରହିଥିବା କ୍ୱାଡ୍ ସହଯୋଗ ଏବଂ ଭବିଷ୍ୟତ ପାଇ ସେମାନଙ୍କର ପରିକଳ୍ପନା ସଂପର୍କରେ ଆଲୋଚନା କରିଛନ୍ତି ।

କ୍ୱାଡ୍ ନେତୃବର୍ଗ ଆତଙ୍କବାଦର ମୁକାବିଲା ପ୍ରତି ସେମାନଙ୍କର ମତକୁ ଦୋହରାଇଛନ୍ତି ଏବଂ ପରୋକ୍ଷ ଭାବେ ଆତଙ୍କବାଦର ବ୍ୟବହାରକୁ ମଧ୍ୟ ନିନ୍ଦା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଆତଙ୍କବାଦୀ ଗୋଷ୍ଠୀଙ୍କୁ କୌଣସି ପ୍ରକାର ଲଜିଷ୍ଟିକାଲ, ଆର୍ଥିକ କିମ୍ବା ସାମରିକ ସହାୟତା ଯୋଗାଣକୁ ବନ୍ଦ କରାଯିବାର ଗୁରୁତ୍ୱ ଦିଆଯିବା ସକାଶେ ସେମାନେ ଦୃଢ଼ ମତପୋଷଣ କରିଛନ୍ତି । ଏଭଳି ସାହାଯ୍ୟ ସହଯୋଗକୁ ଆତଙ୍କବାଦୀମାନେ ସୀମା ପାର ଆକ୍ରମଣ ସମେତ ଆତଙ୍କବାଦୀ ଆକ୍ରମଣ ନିମନ୍ତେ ବ୍ୟବହାର କରିପାରନ୍ତି ବୋଲି ମତ ପ୍ରକାଶ ପାଇଛି ।

ଏହି ଅବସରରେ ଏକ କ୍ୱାଡ୍ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ଓ ନିରାକରଣ ପ୍ୟାକେଜର ଶୁଭାରମ୍ଭ କରାଯାଇଛି ଯାହାକି ସବୁଜ ଜାହାଜ ଚଳାଚଳ, ସ୍ୱଚ୍ଛ ଶକ୍ତି ସମେତ ଗ୍ରୀନ ହାଇଡ୍ରୋଜେନ ତଥା ଜଳବାୟୁ ଓ ବିପର୍ଯ୍ୟୟ ସହନଶୀଳ ସଂସାଧନର ବିକାଶ ଘଟାଇବା ଦିଗରେ ସହାୟକ ହେବ । ଏହି କ୍ଷେତ୍ରର ସମସ୍ତ ରାଷ୍ଟ୍ରଙ୍କୁ ସହାୟତା ଯୋଗାଣ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଫଳରେ ସେମାନଙ୍କର କୋପ ୨୬ ପ୍ରତିବଦ୍ଧତାକୁ ଜଳବାୟୁ ପୁଂଜି ଏବଂ ପ୍ରଯୁକ୍ତି ହସ୍ତାନ୍ତରଣ ମାଧ୍ୟମରେ ସାକାର କରାଯାଇ ପାରିବ ।

Also Read  ବୋରେଓ୍ଵଲ୍‌ ଗାତରେ ୪ ଦିନ ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ ରାହୁଲ, ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍‌

୨ଠ୨୧ ମସିହା ମାର୍ଚ୍ଚ ମାସରେ ପ୍ରଥମ ଭର୍ଚୁଆଲ ବୈଠକର ଆୟୋଜନ କରାଯିବା ଠାରୁ ଏହା ଏହି ଚାରି ନେତୃବର୍ଗଙ୍କର ଚତୁର୍ଥ ପାରସ୍ପରିକ ଆଲୋଚନା । ୨ଠ୨୧ ମସିହା ସେପ୍ଟେମ୍ବର ମାସରେ ୱାଶିଂଟନ ଠାରେ ଏହାର ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା ଏବଂ ଏହାପରେ ୨ଠ୨୨ ମସିହା ମାର୍ଚ୍ଚ ମାସରେ ଭର୍ଚୁଆଲ ମୋଡରେ କ୍ୱାଡ୍ ନେତୃବର୍ଗ ପାରସ୍ପରିକ ଆଲୋଚନାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here